ହିନ୍ଦୀ ସିନେମା ଜଗତରୁ ଦୁଃଖଦ ଖବର ସାମ୍ନାକୁ ଆସିଛି। ସେଭେନ ଆୱାର ଟୁ ଗୋ, ଦ ଫାଇନାଲ ଏଗଜିଟ, ଓ ଘୋଷ୍ଟ ଭଳି ଫିଲ୍ମରେ ଅଭିନୟ କରିଥିବା ଅଭିନେତ୍ରୀ ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ପରଲୋକ ଘଟିଛି। ତାଙ୍କ ପରିବାର ପକ୍ଷରୁ ଅନନ୍ୟାଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ପୋଷ୍ଟ କରି ଏହି ଦୁଃଖଦ ଖବର ବିଷୟରେ ସୂଚନା ଦେଇଛନ୍ତି। ପରିବାର ଲୋକଙ୍କ କହିବା ଅନୁସାରେ, ଜୁଲାଇ ୧୫ ତାରିଖ ଭୋର ସମୟରେ ଅନନ୍ୟାଙ୍କ ଦେହାନ୍ତ ହୋଇଥିଲା।
ପରିବାର ପକ୍ଷରୁ କୁହାଯାଇଛି ଯେ ଅନନ୍ୟା ଗତ ଏକ ବର୍ଷରୁ ଅଧିକ ସମୟ ଧରି ଶାରୀରିକ ଓ ମାନସିକ ଭାବେ ଅସୁସ୍ଥ ଥିଲେ। ନିଜ ରୋଗ ସହ ସେ ଜଣେ ଯୋଦ୍ଧା ଭଳି ଲଢ଼େଇ କରିଥିଲେ। ଶେଷରେ ସେ ଶେଷନିଶ୍ବାସ ତ୍ୟାଗ କରିଥିଲେ । ଅନନ୍ୟାଙ୍କ ପରିବାର ଏହି କଷ୍ଟଦାୟକ ସମୟରେ ତାଙ୍କୁ ଗୋପନୀୟତା ଦେବାକୁ ପ୍ରଶଂସକ ଓ ଶୁଭେଚ୍ଛୁମାନଙ୍କୁ ଅନୁରୋଧ କରିଛନ୍ତି । ତାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିବାକୁ ମଧ୍ୟ ପରିବାର ପକ୍ଷରୁ ନିବେଦନ କରାଯାଇଛି ।ଅନନ୍ୟା କେବଳ ହିନ୍ଦୀ ସିନେମାରେ ସୀମିତ ରହିନଥିଲେ। ସେ ଆଞ୍ଚଳିକ ସିନେମାରେ ମଧ୍ୟ ଅଭିନୟ କରିଥିଲେ। ତେଲୁଗୁ ଫିଲ୍ମ ‘ ଥାଗେଦେ ଲେରେ ନବୀନ ଚନ୍ଦ୍ର, ଦିବ୍ୟା ପିଲ୍ଲାଇ ଓ ପି. ରବି ଶଙ୍କରଙ୍କ ସହ ସ୍କ୍ରିନ୍ ଶେୟାର କରିଥିଲେ। ଏହି ଫିଲ୍ମ ୨୦୨୨ରେ ରିଲିଜ୍ ହୋଇଥିଲା। ଅନନ୍ୟାଙ୍କ ଅକାଳ ବିୟୋଗରେ ତାଙ୍କ ପ୍ରଶଂସକ ଓ ମନୋରଞ୍ଜନ ଜଗତରେ ଶୋକର ଛାୟା ଖେଳିଯାଇଛି।
