ବଲିଉଡର ଆଉ ଜଣେ ବଡ଼ ଷ୍ଟାର ଟେଲିଭିଜନ ହୋଷ୍ଟିଂ ଜଗତରେ ପ୍ରବେଶ କରିବାକୁ ଯାଉଛନ୍ତି। ବଡ଼ ପରଦାରେ ସିଂଘମ୍ ଭୁମିକାରେ ଅପରାଧୀଙ୍କୁ ଶିକ୍ଷା ଦେବା ପରେ, ଅଜୟ ଦେବଗନ୍ ଏବେ ଛୋଟ ପରଦାରେ ଅପରାଧ କାହାଣୀ ବର୍ଣ୍ଣନା କରିବେ। ଅଜୟ ଲୋକପ୍ରିୟ ଟିଭି ଶୋ “କ୍ରାଇମ୍ ପାଟ୍ରୋଲ୍”ର ହୋଷ୍ଟ ଭାବରେ ଦେଖାଯିବେ। ଏହାର ନୂଆ ପ୍ରୋମୋ ସୁଟିଂ ଶେଷ କରିସାରିଛନ୍ତି ଏବଂ ଏହି ଭିଡିଓ ଇଣ୍ଟରନେଟରେ ବେଶ୍ ଭାଇରାଲ ହେବାରେ ଲାଗିଛି।ନିକଟରେ ରିଲିଜ୍ ହୋଇଥିବା ପ୍ରୋମୋ ଭିଡିଓରେ ଅଜୟ ଦେବଗନ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି। ସେ ଦର୍ଶକଙ୍କୁ ସତର୍କ କରାଇ କହିଛନ୍ତି ଯେ, ପିଲାଦିନେ ଆମକୁ ଅଜଣା ଲୋକଙ୍କଠାରୁ ସାବଧାନ ରହିବାକୁ ଶିକ୍ଷା ଦିଆଯାଉଥିଲା। କିନ୍ତୁ ବର୍ତ୍ତମାନ ସମୟରେ ଅଧିକାଂଶ ଅପରାଧ ନିଜର ପରିଚିତ ଲୋକଙ୍କ ଦ୍ୱାରା ହିଁ ଘଟୁଛି, ଯେଉଁମାନେ ଆପଣଙ୍କ ଘରର ଠିକଣା ଜାଣିଛନ୍ତି ଏବଂ ଆପଣଙ୍କ ସହ ଗୋଟିଏ ଟେବୁଲରେ ବସି ଖାଦ୍ୟ ଖାଉଛନ୍ତି। “ଏଥର କ୍ରାଇମ ପାଟ୍ରୋଲରେ ମୁଁ ଆପଣଙ୍କ ସାଥୀରେ ରହିବି” ବୋଲି ସେ ଦର୍ଶକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ରିପୋର୍ଟ ଅନୁସାରେ, ଏହି ନୂଆ ସିଜିନ୍ ଅଗଷ୍ଟ ୩୧ ତାରିଖରୁ ସୋନି ଟିଭି ଏବଂ ସୋନି ଲିଭ୍ରେ ଟେଲିକାଷ୍ଟ ହେବାର ସମ୍ଭାବନା ରହିଛି।ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, “ଏହି ସିଜିନରେ,କ୍ରାଇମ ପାଟ୍ରୋଲ୍ ନୂଆ ଏବଂ ବିବିଧ ଅପରାଧ କାହାଣୀ ପ୍ରଦର୍ଶିତ କରିବ। ଏହା ବର୍ଷ ବର୍ଷ ଧରି ଅପରାଧ ପଦ୍ଧତି କିପରି ପରିବର୍ତ୍ତନ ହୋଇଛି ତାହା ମଧ୍ୟ ଉଲ୍ଲେଖ କରିବ।ଏହି ଖବର ଅନ୍ୟଙ୍କୁ ସେୟାର କରନ୍ତୁ
