ଭୁବନେଶ୍ୱରରେ ଆରମ୍ଭ ହୋଇଛି ୧୩ତମ ବ୍ରିକ୍ସ ଶିକ୍ଷାମନ୍ତ୍ରୀ ସମ୍ମିଳନୀ। ଭାରତ ବ୍ରିକ୍ସର ଅଧ୍ୟକ୍ଷତା କରୁଥିବା ବେଳେ ଏହି ସମ୍ମିଳନୀରେ ସଦସ୍ୟ ଦେଶମାନଙ୍କ ଶିକ୍ଷାମନ୍ତ୍ରୀ ଓ ପ୍ରତିନିଧିମାନେ ଯୋଗ ଦେଇଛନ୍ତି। ସମ୍ମିଳନୀକୁ ଉଦ୍ଘାଟନ କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଶିକ୍ଷା କ୍ଷେତ୍ରରେ ସହଯୋଗ, ନବସୃଜନ ଓ ସ୍ଥାୟୀ ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି।। ଦକ୍ଷିଣ ଆଫ୍ରିକାର ବେସିକ ଏଜୁକେସନ ମନ୍ତ୍ରୀ ଏବଂ ଉଚ୍ଚଶିକ୍ଷା ଓ ପ୍ରଶିକ୍ଷଣ ଉପମନ୍ତ୍ରୀଙ୍କ ସହ ବୈଠକରେ ମୌଳିକ ଓ ଉଚ୍ଚ ଶିକ୍ଷା, କୌଶଳ ବିକାଶ, ଗବେଷଣା, ନବସୃଜନ ଓ ଡିଜିଟାଲ ଲର୍ଣ୍ଣିଂ କ୍ଷେତ୍ରରେ ସହଯୋଗ ଜୋରଦାର କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଭାରତର ସଫଳ କାର୍ଯ୍ୟକ୍ରମ ନିପୁଣ ଭାରତ, ପରଖ, ସ୍ୱୟମ ଓ ସମର୍ଥ ଭଳି ପଦକ୍ଷେପ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି। ସେହିପରି ଇଣ୍ଡୋନେସିଆର ଉଚ୍ଚଶିକ୍ଷା, ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ବ୍ରାୟାନ ୟୁଲିଆର୍ଟୋଙ୍କ ସହ ବୈଠକରେ ଉଚ୍ଚଶିକ୍ଷା, ଗବେଷଣା, ନବସୃଜନ ଓ ଶିକ୍ଷାଗତ ଆଦାନ-ପ୍ରଦାନ ବୃଦ୍ଧି ନେଇ ଆଲୋଚନା ହୋଇଥିଲା।ଅନ୍ୟପଟେ ଇରାନର ବିଜ୍ଞାନ, ଗବେଷଣା ଓ ପ୍ରଯୁକ୍ତି ବିଭାଗର କାର୍ଯ୍ୟବାହୀ ମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ଉଭୟ ଦେଶ ମଧ୍ୟରେ ଥିବା ଐତିହାସିକ ଓ ସାଂସ୍କୃତିକ ସମ୍ପର୍କକୁ ଆଧାର କରି ଶିକ୍ଷା, ଗବେଷଣା, ପ୍ରଯୁକ୍ତି ଓ ନବସୃଜନ କ୍ଷେତ୍ରରେ ସହଯୋଗ ବୃଦ୍ଧି ଉପରେ ମତବିନିମୟ ହୋଇଛି। ଏହି ସମ୍ମିଳନୀରେ ବ୍ରାଜିଲ, ରୁଷ, ଚୀନ, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ଇରାନ, ଇଥିଓପିଆ ଏବଂ ୟୁଏଇର ପ୍ରତିନିଧିମାନେ ଯୋଗ ଦେଇଥିବା ବେଳେ ଇରାନ, ଇଣ୍ଡୋନେସିଆ ଓ ଦକ୍ଷିଣ ଆଫ୍ରିକାର ଶିକ୍ଷାମନ୍ତ୍ରୀମାନେ ଉପସ୍ଥିତ ରହିଛନ୍ତି। ତେବେ ଭୁବନେଶ୍ୱରରେ ଆୟୋଜିତ ଏହି ୧୩ତମ ବ୍ରିକ୍ସ ଶିକ୍ଷାମନ୍ତ୍ରୀ ସମ୍ମିଳନୀ ଶିକ୍ଷା କ୍ଷେତ୍ରରେ ଆନ୍ତର୍ଜାତିକ ସହଯୋଗକୁ ଆହୁରି ସୁଦୃଢ଼ କରିବା ସହ ଭବିଷ୍ୟତ ପିଢ଼ି ପାଇଁ ଏକ ନୂଆ ରୋଡମ୍ୟାପ୍ ପ୍ରସ୍ତୁତ କରିବ ବୋଲି ଆଶା କରାଯାଉଛି।
ଶିକ୍ଷା, ନବସୃଜନ ଓ ସ୍ଥାୟୀ ବିକାଶ ଉପରେ ଜୋର ଦେଲା ବ୍ରିକ୍ସ ମଞ୍ଚ-କେନ୍ଦ୍ର ଶିକ୍ଷାମନ୍ତ୍ରୀ
By madhulekha1 Min Read
