ନନ୍ଦନକାନନରେ ଉଦ୍ଧାର ଓରାଙ୍ଗଉଟାନଙ୍କ ମଧ୍ୟରୁ ୩ ଜଣ ରକ୍ତହୀନତାରେ ପୀଡ଼ିତ ।ଗତକାଲି ସ୍ୱତନ୍ତ୍ର ବୈଷୟିକ ବିଶେଷଜ୍ଞ କମିଟି ଦ୍ୱାରା ଏହି ବନ୍ୟପ୍ରାଣୀ ଶିଶୁଙ୍କର ପୁଙ୍ଖାନୁପୁଙ୍ଖ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ପ୍ରାଥମିକ ରକ୍ତ ପରୀକ୍ଷା ରିପୋର୍ଟରୁ ୫ ଶିଶୁଙ୍କ ମଧ୍ୟରୁ ୩ ଜଣ ଆନିମିଆ ଅର୍ଥାତ ରକ୍ତହୀନତାରେ ପୀଡ଼ିତ ଥିବା ଜଣାପଡ଼ିଛି । ସେଥିମଧ୍ୟରୁ ଜଣକ ଅବସ୍ଥା ଗୁରୁତର ଆନିମିଆରେ ପୀଡ଼ିତ ରହିଥିବା ବେଳେ ଅନ୍ୟ ଦୁଇଜଣଙ୍କଠାରେ ସ୍ୱଳ୍ପ ରକ୍ତହୀନତା ଲକ୍ଷଣ ଦେଖାଦେଇଛି । ଅନ୍ୟାନ୍ୟ ପରୀକ୍ଷା ରିପୋର୍ଟ ଆସିବା ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଅଧିକ ସ୍ପଷ୍ଟ ତଥ୍ୟ ମିଳିପାରିବ । ଗତ ୮ ତାରିଖରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ଝାଉଁ ଜଙ୍ଗଲରୁ ଏହି ୫ଟି ବିଦେଶୀ ଓରାଙ୍ଗଉଟାନ ଛୁଆଙ୍କୁ ଚୋରା ଚାଲାଣକାରୀ ଛାଡ଼ି ପଳାଇଥିବା ବେଳେ ବନ ବିଭାଗ ସେମାନଙ୍କୁ ଉଦ୍ଧାର କରିଥିଲା । ଏମାନଙ୍କ ମଧ୍ୟରେ ୩ଟି ଅଣ୍ଡିରା ଓ ୨ଟି ମାଈ ଛୁଆ ରହିଛନ୍ତି । ମା’ଠାରୁ ଅଲଗା ହୋଇ ରହିବା ଓ ପ୍ରତିକୂଳ ପରିବେଶ କାରଣରୁ ପୂର୍ବରୁ ଜଣେ ମାଈ ଶିଶୁ ଜ୍ୱରରେ ଆକ୍ରାନ୍ତ ହୋଇଥିଲା । ବର୍ତ୍ତମାନ ସମସ୍ତ ଶିଶୁଙ୍କୁ ଚବିଶ ଘଣ୍ଟିଆ ସିସିଟିଭି ଏବଂ ଡାକ୍ତରଙ୍କ ନଜରରେ ଅଛନ୍ତି ।
