କର୍ମଚାରୀଙ୍କ ସାମାଜିକ ସୁରକ୍ଷାକୁ ଆହୁରି ବ୍ୟାପକ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । EPF ଓ EPS କଭରେଜ୍ ପାଇଁ ଲାଗୁଥିବା ବେତନ ସୀମାକୁ ମାସିକ ୧୫,୦୦୦ ଟଙ୍କାରୁ ବଢ଼ାଇ ୨୫,୦୦୦ ଟଙ୍କା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ରୀୟ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତିକୁ ମଞ୍ଜୁରି ମିଳିଛି।ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ ଦେଶର ପ୍ରାୟ ୫୧ ଲକ୍ଷ କର୍ମଚାରୀ ସିଧାସଳଖ ଉପକୃତ ହେବେ। ଏହାଦ୍ୱାରା ଚାକିରିଆଙ୍କ ଭବିଷ୍ୟତ ପାଣ୍ଠି (PF) ସଞ୍ଚୟ ବୃଦ୍ଧି ପାଇବା ସହ ଅବସର ପରେ ମିଳୁଥିବା ପେନସନ ପରିମାଣ ମଧ୍ୟ ବଢ଼ିଯିବ।ଯଦି କୌଣସି କର୍ମଚାରୀଙ୍କ ବେସିକ ସାଲାରି (Basic Salary) ଏବଂ ମହଙ୍ଗା ଭତ୍ତା (DA) ମିଶି ୨୫,୦୦୦ ଟଙ୍କା କିମ୍ବା ତା’ଠାରୁ କମ୍, ତଥାପି ବି କମ୍ପାନୀଙ୍କୁ ସେହି କର୍ମଚାରୀଙ୍କୁ EPF ଅନ୍ତର୍ଭୁକ୍ତ କରିବାକୁ ବାଧ୍ୟତାମୂଳକ ହେବ। ପୂର୍ବରୁ ଏହି ସୀମା ୧୫,୦୦୦ ଟଙ୍କା ଥିଲା।ଧ୍ୟାନ ରଖନ୍ତୁ ଯେ, ଏହି ନିୟମ କେବଳ ଆପଣଙ୍କ ବେସିକ ସାଲାରି ଏବଂ DA ଉପରେ ହିଁ ଲାଗୁ ହେବ, ସମ୍ପୂର୍ଣ୍ଣ ସିଟିସି (CTC) କିମ୍ବା ଗ୍ରସ ସାଲାରି ଉପରେ ନୁହେଁ।EPFOର ବେତନ ସୀମା ୨୦୦୪ରୁ ୨୦୧୪ ମଧ୍ୟରେ ବଦଳାଯାଇନଥିଲା। ପରେ ସେପ୍ଟେମ୍ବର ୨୦୧୪ରେ ଏହାକୁ ୧୫,୦୦୦ ଟଙ୍କା କରାଯାଇଥିଲା। ଏବେ ପ୍ରାୟ ୧୨ ବର୍ଷ ପରେ ଏହି ସୀମାକୁ ୨୫,୦୦୦ ଟଙ୍କାକୁ ବଢ଼ାଯାଇଛି। ଗତ କିଛି ବର୍ଷ ମଧ୍ୟରେ ବେତନ ବୃଦ୍ଧି, ଆୟ ବୃଦ୍ଧି ଓ ଔପଚାରିକ ନିଯୁକ୍ତିର ପରିସର ବଢ଼ିଥିବାରୁ ଏହି ସୀମା ବୃଦ୍ଧି କରାଯାଇଥିବା ସରକାର ପକ୍ଷରୁ କୁହାଯାଇଛି।
