ପାଣିପାଗ ଆକଳନରେ ଆହୁରି ସଶକ୍ତ ହେଲା ଓଡି଼ଶା। ଆଜି ସମ୍ବଲପୁରରେ ଉଦଘାଟିତ ହେଲା ଅତ୍ୟାଧୁନିକ ଡପଲର ୱେଦର ରାଡାର ସିଷ୍ଟମ। ମୁଖ୍ୟମନ୍ତ୍ରୀ ଜମାଦାରପାଲି ଏୟାରଷ୍ଟ୍ରିପରେ ପହଞ୍ଚିବା ପରେ ଯୋଗୀପାଲି ଯାଇ ଡପଲର ରାଡାର ସିଷ୍ଟମର ଉଦ୍ଘାଟନ କରିଛନ୍ତି। ସମ୍ବଲପୁରର ଜମାଦାରପାଲି ଠାରେ ନିର୍ମିତ ୫ ମହଲା ବିଶିଷ୍ଟ ଏହି କେନ୍ଦ୍ର, ପାଣିପାଗ ସମ୍ବନ୍ଧୀୟ ସଠିକ ସୂଚନା ପ୍ରଦାନ କରିବ । ଏହି ରାଡାରର କ୍ଷମତା ପ୍ରାୟ ୨୫୦ କିଲୋମିଟର ବ୍ୟାସାର୍ଦ୍ଧ ପର୍ଯ୍ୟନ୍ତ ରହିବ ।ବର୍ଷାଠାରୁ ଆରମ୍ଭ କରି ବଜ୍ରପାତ, କାଳବୈଶାଖୀ, କୁଆପଥର ବର୍ଷା ଏବଂ ଅତିବୃଷ୍ଟି ଓ ଅନାବୄଷ୍ଟି ଭଳି ପାଣିପାଗ ଘଟଣାର ପୂର୍ବାନୁମାନ ଆକଳନରେ ଏହା ବେଶ୍ ଗୁରୁତ୍ୱପୂର୍ଣ୍ଣ ହେବ ।
କିଛିଦିନ ହେଲା ରାଡାରଟି ପାଣିପାଗ ସମ୍ପର୍କିତ ତଥ୍ୟ ପ୍ରଦାନ କରିବା ଆରମ୍ଭ କରିଛି । ଏହି ରାଡାର ଦ୍ୱାରା ପାଣିପାଗର ଆଗୁଆ ସୂଚନା ମିଳିବା ସହ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ଆହୁରି ମଜବୁତ ହେବ । ଆଗୁଆ ସୂଚନା ମିଳିଲେ ବନ୍ୟା ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ସହ ଧନଜୀବନ କ୍ଷୟକ୍ଷତିକୁ କମାଇବା ସମ୍ଭବ ହେବ। ଏହା କାର୍ଯ୍ୟକ୍ଷମ ହେବା ପରେ ବିଶେଷ କରି କୃଷିପ୍ରଧାନ ପଶ୍ଚିମ ଓଡି଼ଶାର ଚାଷୀ, ମତ୍ସ୍ୟଜୀବୀ ଓ ସାଧାରଣ ଲୋକଙ୍କୁ ମିଳିବ ବଡ ଫାଇଦା।
