ଗଛରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରୁଥିବା ଜଣେ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ପାପଡାହାଣ୍ଡି ଅଗ୍ନିଶମ ବିଭାଗ। ଉଦ୍ଧାର ହୋଇଥିବା ବ୍ୟକ୍ତି ଜଣକ ଗାଦବା କତରା ପଞ୍ଚାୟତ ଅନ୍ତର୍ଗତ ଖୁଡ଼ି ଗ୍ରାମର ରାମ ମୁଦୁଲି ବୋଲି ଜଣାପଡ଼ିଛି।ସୂଚନା ଅନୁସାରେ,ଖୁଡ଼ି ଗାଁର ରାମ ମୁଦୁଲି ନିଜ ପୁଅକୁ ମଦ ପିଇବା ପାଇଁ ଟଙ୍କା ମାଗିଥିଲେ । ହେଲେ ପୁଅ ଟଙ୍କା ଦେବାକୁ ମନା କରିବାରୁ ସେ ନିଶାସକ୍ତ ଅବସ୍ଥାରେ ଏକ ସଲପ ଗଛ ଉପରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରିଥିଲେ।ଏହି ସମୟରେ ଗଛର ଏକ ଡାଳ ଭାଙ୍ଗିଯିବାରୁ ସେ ଗଛରେ ଓହଳି ରହିଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ପାପଡାହାଣ୍ଡି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ନବରଙ୍ଗପୁର ପାପଡାହାଣ୍ଡି ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଅତି ସତର୍କତାର ସହ ରାମଙ୍କୁ ଉଦ୍ଧାର କରିଥିଲେ । ବର୍ତ୍ତମାନ ସେ ସୁରକ୍ଷିତ ଅଛନ୍ତି ।
