ଦୀପାବଳି ପର୍ବକୁ ପ୍ରଦୂଷଣମୁକ୍ତ ଓ ସୁରକ୍ଷିତ ଭାବେ ପାଳନ କରିବା ଲକ୍ଷ୍ୟରେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (OSPCB) ପକ୍ଷରୁ ବାଣ ଫୁଟାଇବା ନେଇ ଜାରି ହୋଇଛି ପରାମର୍ଶମୂଳକ ନିର୍ଦ୍ଦେଶାବଳୀ । ଗାଇଡଲାଇନ୍ ଅନୁଯାୟୀ, ଦୀପାବଳିରେ କେବଳ ଅନୁମୋଦିତ ସବୁଜ ବାଣ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ବାଣ କିଣିବା ପୂର୍ବରୁ ସେଥିରେ CSIR-NEERIର ଲୋଗୋ ଏବଂ QR କୋଡ୍ ରହିଛି କି ନାହିଁ, ତାହା ଯାଞ୍ଚ କରିବାକୁ କୁହାଯାଇଛି। ଏଥିସହ ବାଣରେ ବାରିୟମ୍ ଏବଂ ଅନ୍ୟ ନିଷିଦ୍ଧ ରାସାୟନିକ ପଦାର୍ଥର ବ୍ୟବହାର ଉପରେ କଟକଣା ରହିଛି।ସେହିପରି ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ନିର୍ଦ୍ଧାରିତ ଶବ୍ଦ ସୀମା ଅତିକ୍ରମ କରୁଥିବା ବାଣ ବ୍ୟବହାର ନକରିବାକୁ କୁହାଯାଇଛି। ହସ୍ପିଟାଲ, ଶିକ୍ଷାନୁଷ୍ଠାନ ଓ ଅନ୍ୟାନ୍ୟ ନିରବ ଅଞ୍ଚଳ (Silence Zone)ରେ ବାଣ ଫୁଟାଇବାରୁ ନିବୃତ୍ତ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ବାଣ ଫୁଟାଇବା ସମୟରେ ସୁରକ୍ଷା ନିୟମ ପାଳନ କରିବା ସହ ଖୋଲା ଓ ସୁରକ୍ଷିତ ସ୍ଥାନ ଚୟନ କରିବାକୁ ବୋର୍ଡ ପରାମର୍ଶ ଦେଇଛି। ଜଳି ନଥିବା ବାଣକୁ ପୁନର୍ବାର ଜଳାଇବାକୁ ଚେଷ୍ଟା ନକରିବା ଏବଂ ଛୋଟ ପିଲାଙ୍କ ସୁରକ୍ଷା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ମଧ୍ୟ କୁହାଯାଇଛି ।ଏହି ଖବର ଅନ୍ୟଙ୍କୁ ସେୟାର କରନ୍ତୁ ଓ ଆମକୁ ଫଲୋ କରନ୍ତୁ
