ଖୁବ୍ଶୀଘ୍ର ମେଟ୍ରୋ ରେଳ ପ୍ରକଳ୍ପ ନୂତନ ରୂପରେ ଆସିବ ବୋଲି ନଗର ଉନ୍ନୟନ ବିଭାଗ ପକ୍ଷରୁ ଜଣାପଡ଼ିଛି।ବିଭାଗ ପକ୍ଷରୁ ପ୍ରସ୍ତୁତ ହେଉଥିବା ‘ଡିପିଆର୍’କୁ ନେଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପୂର୍ବରୁ ଏହା କେବଳ ଭୁବନେଶ୍ୱର-କଟକ-ପୁରୀ ମଧ୍ୟରେ ଗଡ଼ିବ ବୋଲି ପ୍ରସ୍ତାବ ରହିଥିଲା। ପୂର୍ବ ସରକାର ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଯେଉଁ ‘ଡିପିଆର୍’ ପ୍ରସ୍ତୁତ କରିଥିଲେ ସେଥିରେ ବହୁତ କିଛି ପରିବର୍ତ୍ତନ କରାଯିବ। ଏହାକୁ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପକୁ ଯୋଡ଼ିବା ପାଇଁ ସରକାରୀସ୍ତରରେ ଏକପ୍ରକାର ନିଷ୍ପତ୍ତି ହୋଇଛି। ଆସନ୍ତା ୨୨ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଉଚ୍ଚସ୍ତରୀୟ ବୈଠକରେ ଏସମ୍ପର୍କରେ ପୂର୍ଣ୍ଣାଙ୍ଗ ରୂପରେଖ ଜଣାପଡ଼ିବ। ରାଜ୍ୟ ସରକାରଙ୍କ ଭିଜନ-୨୦୩୬ ଓ ୨୦୪୭କୁ ଦୃଷ୍ଟିରେ ରଖି ମେଟ୍ରୋ ରେଳପ୍ରକଳ୍ପକୁ ଏହିସବୁ ଅଞ୍ଚଳକୁ ପ୍ରସାରଣ କରିବା ପାଇଁ ଲକ୍ଷ୍ୟ ରହିଛି। ଏହାସହିତ କେନ୍ଦ୍ର ସରକାରଙ୍କ ସହିତ ମିଶି ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବାକୁ ରହିଛି, ଯାହାଫଳରେ ରାଜ୍ୟ ଉପରେ ଏତେବଡ଼ ଆର୍ଥିକବୋଝ ପଡ଼ିବ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ଏହାର ରୂପରେଖ ସ୍ପଷ୍ଟ ହେବ ବୋଲି ବରିଷ୍ଠ ଅଧିକାରୀ ଜଣକ କହିଛନ୍ତି।
ବଦଳିବ ‘ଡିପିଆର’,ନୂଆ ରୂପରେ ଆସିବ ମେଟ୍ରୋ ରେଳ
By madhulekha1 Min Read
