ଚଳିତ ବର୍ଷ ହୋଲି ପର୍ବକୁ ନେଇ ଲୋକଙ୍କ ମଧ୍ୟରେ ଅନେକ ଦ୍ୱନ୍ଦ୍ୱ ରହିଛି । ଭାରତୀୟ ଜ୍ୟୋତିଷ ଶାସ୍ତ୍ର ଏବଂ ସିନ୍ଧୁ ଗ୍ରନ୍ଥ ଉପରେ ଆଧାରିତ ଜ୍ୟୋତିଷଙ୍କ ଅନୁସାରେ ଫାଲଗୁଣ ମାସ ଶୁକ୍ଳ ପକ୍ଷର ଚତୁର୍ଦ୍ଦଶୀ ତିଥି ମାର୍ଚ୍ଚ ୨ ରେ ପଡୁଛି । ଶାସ୍ତ୍ର ଅନୁସାରେ ଭାଦ୍ରବ ଶେଷ ହେବା ପରେ କିମ୍ବା ଭାଦ୍ରବ ଶେଷ ସମୟକୁ ହୋଲିକା ଦହନ କରାଯାଏ । ହୋଲିକା ଦହନ ପାଇଁ ସର୍ବୋତ୍ତମ ସମୟ ୨ ମାର୍ଚ୍ଚ ରାତି ୧୨:୫୦ ରୁ ୨:୦୨ ସମୟ ରହିବ । ୩ ମାର୍ଚ୍ଚରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଫାଲଗୁଣ ମାସର ଶୁକ୍ଳ ପକ୍ଷ ପୂର୍ଣ୍ଣିମା ଦିନ ହେବ । ଗ୍ରହଣ ଯୋଗୁଁ ଭାରତରେ ହୋଲି ପରଦିନ ଚୈତ୍ର କୃଷ୍ଣ ପକ୍ଷ ପ୍ରତିପଦ ପାଳିତ ହେବ । ମାର୍ଚ୍ଚ ୩ ସନ୍ଧ୍ୟାବେଳେ ଭାରତର ସବୁ ସ୍ଥାନରେ ଚନ୍ଦ୍ର ବାହାରିବା ପରେ ଗ୍ରହଣ ୫:୫୯ ପରେ ଦୃଶ୍ୟମାନ ହେବ । ତେବେ କେବଳ ଗ୍ରହଣର ଶେଷ ସମୟ ହିଁ ଭାରତରେ ଦୃଶ୍ୟମାନ ହେବ । କାରଣ ଏହା ଚନ୍ଦ୍ର ବାହାରିବା ପୂର୍ବରୁ ହିଁ ଆରମ୍ଭ ହୋଇଯିବ । ହୋଲି ସମୟରେ ହେବାକୁ ଥିବା ଚନ୍ଦ୍ରଗ୍ରହଣ ଭାରତ ସହିତ ପୂର୍ବ ଏସିଆ, ଅଷ୍ଟ୍ରେଲିଆ, ପ୍ରଶାନ୍ତ ମହାସାଗର ଏବଂ ଆମେରିକାରେ ମଧ୍ୟ ଦୃଶ୍ୟମାନ ହେବ । ତେଣୁ ୪ ମାର୍ଚ୍ଚରେ ସାରା ଭାରତରେ ହୋଲି ପାଳନ କରିବା ଠିକ୍ ରହିବ ।
