ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଏକ ଲଘୁଚାପ କ୍ଷେତ୍ର। ଏକ ଘୂର୍ଣ୍ଣିବଳୟର ପ୍ରଭାବରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ସୂଚନା ମିଳିଛି। ଏହାର ପ୍ରଭାବରେ ଆଗାମୀ ଦିନଗୁଡ଼ିକରେ ଓଡ଼ିଶାର ପାଗରେ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି। ବିଶେଷକରି ରାଜ୍ୟର ଅନେକ ଅଞ୍ଚଳରେ ବର୍ଷାର ପ୍ରଭାବ ବଢ଼ିପାରେ। IMDର ଆକଳନ ଅନୁଯାୟୀ, ପ୍ରଥମେ ୧୨ ଅଗଷ୍ଟ ପାଖାପାଖି ଉତ୍ତର ବଙ୍ଗୋପସାଗର ଉପରେ ଏକ ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରଭାବରେ ଦ୍ୱିତୀୟ ସପ୍ତାହର ଆରମ୍ଭ, ଅର୍ଥାତ୍ ପ୍ରାୟ ୧୪ ଅଗଷ୍ଟ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ଦାନା ବାନ୍ଧିପାରେ । ଏହି ସମ୍ଭାବ୍ୟ ଲଘୁଚାପଟି ବର୍ତ୍ତମାନର ପାଣିପାଗ ପ୍ରକ୍ରିୟାଠାରୁ ଭିନ୍ନ ।
ଅଗଷ୍ଟ ୭-୮ ବେଳକୁ ଗାଙ୍ଗେୟ ପଶ୍ଚିମବଙ୍ଗ ଉପକୂଳ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଆଉ ଏକ ପାଣିପାଗ ପ୍ରଣାଳୀ ସୃଷ୍ଟି ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଉତ୍ତର ଓଡ଼ିଶା, ଝାଡ଼ଖଣ୍ଡ ଓ ଉତ୍ତର ଛତିଶଗଡ଼ ଆଡ଼କୁ ଗତି କରିବାର ପୂର୍ବାନୁମାନ ରହିଥିଲା । ୧୩ରୁ ୧୯ ଅଗଷ୍ଟ ମଧ୍ୟରେ ପୂର୍ବ ଓ ଉତ୍ତର-ପୂର୍ବ ଭାରତରେ ବର୍ଷାର ପ୍ରଭାବ ବଢ଼ିପାରେ । ଏହି ସମୟରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ-ସିକ୍କିମ, ଅରୁଣାଚଳ ପ୍ରଦେଶ, ଆସାମ ଓ ମେଘାଳୟର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସମ୍ଭାବ୍ୟ ଲଘୁଚାପର ଗତିପଥ, ତୀବ୍ରତା ଏବଂ କେଉଁ ଅଞ୍ଚଳରେ କେତେ ବର୍ଷା ହେବ, ସେନେଇ ଏବେଠାରୁ ସ୍ପଷ୍ଟ ଚିତ୍ର ମିଳିନାହିଁ ।ଲଘୁଚାପ ପ୍ରଭାବରେ କେବଳ ବର୍ଷା ନୁହେଁ, ସମୁଦ୍ର ମଧ୍ୟ ଅଶାନ୍ତ ରହିବାର ଆଶଙ୍କା ରହିଛି। ଉପକୂଳ ଅଞ୍ଚଳରେ ପବନର ବେଗ ବଢ଼ିପାରେ। ଫଳରେ ସମୁଦ୍ରକୁ ଯାଉଥିବା ମତ୍ସ୍ୟଜୀବୀଙ୍କ ପାଇଁ ସତର୍କତା ଆବଶ୍ୟକ ହୋଇପାରେ।ସମୁଦ୍ର ପରିସ୍ଥିତି ଅନୁକୂଳ ନଥିଲେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଜାରି ହୋଇପାରେ।ଏହି ଖବର ଅନ୍ୟଙ୍କୁ ସେୟାର କରନ୍ତୁ
