ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ଉତ୍ତରଖାତାର ପୁନଃର୍ମୂଲ୍ୟାୟନ କୁ ନେଇ ଆସିଲା ବଡ ଖବର | ସୁରକ୍ଷା ସମ୍ବନ୍ଧୀୟ ଚିନ୍ତା ଏବଂ ଗୁପ୍ତତା ବଜାୟ ରଖିବା ପାଇଁ ବୋର୍ଡ ‘Coempt Edu Teck’ର OnMark ପ୍ଲାଟଫର୍ମକୁ ପୁନର୍ମୂଲ୍ୟାୟନ ପ୍ରକ୍ରିୟାରୁ ବାଦ୍ ଦେଇଛି । ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ଖାତା ଯାଞ୍ଚ ପ୍ରକ୍ରିୟା ସମ୍ପୂର୍ଣ୍ଣ ରୂପେ ସିବିଏସ୍ଇ ର ନିଜସ୍ୱ ପୋର୍ଟାଲ୍ ଜରିଆରେ କରାଯିବ । ଏହି ପ୍ରକ୍ରିୟା ଆସନ୍ତା ସପ୍ତାହରୁ ଆରମ୍ଭ ହେବାର ସମ୍ଭାବନା ରହିଛି ।ସୂତ୍ର ଅନୁସାରେ, ପୁନର୍ମୂଲ୍ୟାୟନ ଭଳି ଏକ ସମ୍ବେଦନଶୀଳ ପ୍ରକ୍ରିୟାକୁ ବୋର୍ଡ ନିଜ ନିୟନ୍ତ୍ରଣରେ ରଖିବା ସବୁଠାରୁ ସୁରକ୍ଷିତ ବୋଲି ଭାବିଛି । ସେଥିପାଇଁ ଛାତ୍ରଛାତ୍ରୀ ଓ ପରୀକ୍ଷା ସମ୍ବନ୍ଧୀୟ ସମସ୍ତ ଡାଟାକୁ CBSE ର ସିଧାସଳଖ ନିୟନ୍ତ୍ରଣରେ ଥିବା ସର୍ଭରକୁ ସ୍ଥାନାନ୍ତର କରାଯାଇଛି । ତେବେ ସଫ୍ଟୱେରକୁ ସମ୍ପୂର୍ଣ୍ଣ ରୂପେ ବଦଳାଯାଇ ନାହିଁ । ‘OnMark’ର କୋଡ୍କୁ ସୁରକ୍ଷା ଦୃଷ୍ଟିରୁ ସୁଧାର କରାଯାଇ ଏବଂ ପରୀକ୍ଷଣ ପରେ CBSE ର ନିଜସ୍ୱ ଇନଫ୍ରାଷ୍ଟ୍ରକଚରରେ ପରିଚାଳନା କରାଯାଉଛି ।ଏହି ସମଗ୍ର ବୈଷୟିକ ସଙ୍କଟର ସମାଧାନ ପାଇଁ ଏବଂ ସିବିଏସ୍ଇ କୁ ସହାୟତା କରିବା ପାଇଁ IIT କାନପୁର ଏବଂ IIT ମାନ୍ଦ୍ରାଜର ବିଶେଷଜ୍ଞମାନଙ୍କୁ ନେଇ ଏକ ୪ ଜଣିଆ ଟିମ୍ ଗଠନ କରାଯାଇଛି । ଏହି ଟିମ୍ରେ ସାଇବର ସୁରକ୍ଷା, କମ୍ପ୍ୟୁଟର ସିଷ୍ଟମ୍ ଏବଂ ପରୀକ୍ଷା ପ୍ରକ୍ରିୟା ସହ ଜଡ଼ିତ ବିଶେଷଜ୍ଞ ରହିଛନ୍ତି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଏହି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନଗୁଡ଼ିକୁ ବୈଷୟିକ ସହାୟତା ପାଇଁ ସାମିଲ କରାଯାଇଛି ।CBSE ର ପୋଷ୍ଟ-ରେଜଲ୍ଟ ସର୍ଭିସେସ୍ ପୋର୍ଟାଲ୍ ଉପରେ ଗତ କିଛି ଦିନ ହେବ କ୍ରମାଗତ ସାଇବର ଆକ୍ରମଣ ହୋଇଥିବା ନେଇ ବୋର୍ଡ ପକ୍ଷରୁ ଦିଲ୍ଲୀ ପୁଲିସରେ ଏକ ଆନୁଷ୍ଠାନିକ ଅଭିଯୋଗ ଦାୟର କରାଯାଇଛି । ବୋର୍ଡ କହିଛି ଯେ, ସେବା ବାଧାପ୍ରାପ୍ତ କରିବା ଏବଂ ତଥ୍ୟ ଚୋରି ଉଦ୍ଦେଶ୍ୟରେ ଏହି ଆକ୍ରମଣ ହୋଇଥିଲା । କିନ୍ତୁ ଠିକ୍ ସମୟରେ ଏହାକୁ ରୋକାଯାଇଥିବାରୁ କୌଣସି ଡାଟା ଲିକ୍ ହୋଇନାହିଁ କିମ୍ବା ସିଷ୍ଟମର କ୍ଷତି ହୋଇନାହିଁ । ତେବେ ଯେଉଁ ଛାତ୍ରଛାତ୍ରୀମାନେ ମେ ୨୦ ରୁ ୨୫ ତାରିଖ ମଧ୍ୟରେ ନିଜ ଉତ୍ତରଖାତାର ସ୍କାନ୍ କପି ପାଇଁ ଆବେଦନ କରିଥିଲେ, ସେମାନେ ଜୁନ୍ ୭ ତାରିଖ ସୁଦ୍ଧା ପ୍ରଶ୍ନ ଭିତ୍ତିକ ଆପତ୍ତି ଦାଖଲ କରିପାରିବେ ।
ସାଇବର ଆଟାକ୍ ପରେ ଆକ୍ସନ ମୋଡ୍ରେ CBSE; ବନ୍ଦ କଲା ‘OnMark’ ପୋର୍ଟାଲ
By madhulekha2 Mins Read
