ଦେଶର ୮୦ତମ ସ୍ୱାଧୀନତା ଦିବସ ଅବସରରେ ଚଳିତବର୍ଷ ଏକ ଐତିହାସିକ ଘଟଣା ଦେଖିବ ଦେଶ। ଅଗଷ୍ଟ ୧୫ରେ ଦିଲ୍ଲୀର ଲାଲ କିଲ୍ଲା ପ୍ରାଚୀରରୁ ପ୍ରଥମ ଥର ପାଇଁ ଜାତୀୟ ଗୀତ ‘ବନ୍ଦେ ମାତରମ୍’ ଗାନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ହେବାକୁ ଥିବା ସ୍ୱାଧୀନତା ଦିବସ ସମାରୋହରେ ସେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧିତ କରିବେ।ଏନେଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ସୂଚନା ଜାରି କରାଯାଇଛି। ଦେଶର ସ୍ୱାଧୀନତା ଆନ୍ଦୋଳନ ସହ ‘ବନ୍ଦେ ମାତରମ୍’ର ଐତିହାସିକ ସମ୍ପର୍କ ରହିଛି। ଏହି ଗୀତ ଭାରତୀୟଙ୍କ ଭିତରେ ଦେଶପ୍ରେମର ଭାବନା ସୃଷ୍ଟି କରିଥାଏ ।ଏଥରର ସ୍ୱାଧୀନତା ଦିବସ ପାଳନର ମୁଖ୍ୟ ବିଷୟ ରହିବ ‘ଯୁବଶକ୍ତି’। ୨୦୪୭ ସୁଦ୍ଧା ଭାରତକୁ ବିକଶିତ ଦେଶରେ ପରିଣତ କରିବାର ଯାତ୍ରାରେ ଦେଶର ଯୁବପିଢ଼ିର ଅବଦାନ ଓ ଭୂମିକାକୁ ଏଥିରେ ପ୍ରମୁଖତା ଦିଆଯିବ। ଏହି ସମୟରେ ‘ବନ୍ଦେ ମାତରମ୍’କୁ ନେଇ ଆଇନଗତ ପଦକ୍ଷେପ ମଧ୍ୟ ଚର୍ଚ୍ଚାରେ ରହିଛି। ସଂସଦ ନିକଟରେ ‘ପ୍ରିଭେନ୍ସନ୍ ଅଫ୍ ଇନ୍ସଲ୍ଟସ୍ ଟୁ ନ୍ୟାସନାଲ୍ ଅନର୍ (ଆମେଣ୍ଡମେଣ୍ଟ) ବିଲ୍, ୨୦୨୬’ ପାରିତ କରିଛି। ଏହାଦ୍ୱାରା ‘ବନ୍ଦେ ମାତରମ୍’କୁ ଅପମାନରୁ ଆଇନଗତ ସୁରକ୍ଷା ମିଳିବା ସହ ଜାତୀୟ ସଙ୍ଗୀତ ଭଳି ଏହାର ମର୍ଯ୍ୟାଦାକୁ ଆଇନର ଆଧାର ଦିଆଯାଇଛି।
