ଏଥର ଗାଁକୁ ଯିବ ତହସିଲ । ଏନେଇ ‘ଆମ ଗାଁ ଆମ ତହସିଲ’ ନାଁରେ ଏକ ନୂଆ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛି ରାଜସ୍ବ ବିଭାଗ । ଏହି ଯୋଜନା ମାଧ୍ୟମରେ ରାଜସ୍ୱ ବିଭାଗ ସମ୍ପର୍କିତ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଗାଁରେ ପହଞ୍ଚିବେ ଅଧିକାରୀ। ଏହା ସହ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତ କରାଯାଉଛି ।ପୂର୍ବରୁ ବିଭିନ୍ନ କାମ ପାଇଁ ଲୋକମାନଙ୍କୁ ତହସିଲ୍ କାର୍ଯ୍ୟାଳୟ ଆସିବାକୁ ପଡୁଥିବା ବେଳେ ଏଣିକି କ୍ୟାମ୍ପ୍ କୋର୍ଟ ମାଧ୍ୟମରେ ଗାଆଁ-ଗାଆଁରେ ତହସିଲ୍ କାର୍ଯ୍ୟାଳୟର ଅଧିକାରୀମାନେ ଲୋକମାନଙ୍କ ସମସ୍ୟାର ତୁରନ୍ତ ସମାଧାନ କରିବା ସହ ପ୍ରଜା ଖାନା ସଂଶୋଧନ, ଡିମାର୍କେସନ୍ ଆଦି ବିଭିନ୍ନ ରାଜସ୍ୱ ସେବା ଯୋଗାଇଦେବେ l ଏଥିସହିତ କ୍ୟାମ୍ପ କୋର୍ଟ ମାଧ୍ୟମରେ ରାଜସ୍ୱ ସେବା ସମ୍ପର୍କିତ ଲୋକମାନଙ୍କ ଅଭିଯୋଗ ଶୁଣାଣି କରାଯାଇ ତ୍ଵରିତ ସେବା ପ୍ରଦାନ କରିବାକୁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି l
ସେହିପରି ସହରାଞ୍ଚଳ ଚାଷ ଜମି କିସମ ପରିବର୍ତ୍ତନ ନିୟମକୁ ସରଳୀକରଣ କରାଯିବା ନେଇ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି l ବିଗତ ଦୁଇ ବର୍ଷରେ ଓଡ଼ିଶା ରାଇଟ୍ ଟୁ ପବ୍ଲିକ୍ ସର୍ଭିସେସ୍ (ORTPS) ଆଇନ୍ ଆଧାରରେ ୨.୫ କୋଟିରୁ ଉର୍ଦ୍ଧ୍ଵ ରାଜସ୍ୱ ସେବା ଯୋଗାଇ ଦିଆଯାଇଥିବା ବେଳେ ଆଗାମୀ ଦିନରେ ଏହାକୁ ଆହୁରି ଅଧିକ ଲୋକାଭିମୁଖୀ କରାଯିବ l ଖୁବ୍ ଶୀଘ୍ର ବିସ୍ଥାପିତ ଲୋକମାନଙ୍କ ପାଇଁ ନୂତନ ପୁନର୍ବାସ ଓ ଥଇଥାନ ଆଇନର ରୂପରେଖ ପ୍ରସ୍ତୁତ କରାଯାଇ କାର୍ଯ୍ୟକାରୀ କରାଯିବ l
