ପୁଣେର ଫର୍ଗସନ କଲେଜ ରୋଡରେ ଗୁପଚୁପରେ ଅଦ୍ଭୁଦ କଳାକୃତି ଦେଖିବାକୁ ମିଳିଛି । 21 ହଜାର କଡ଼କଡ଼ିଆ ଗୁପଚୁପକୁ ଭିନ୍ନ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଛି। ଗୁପଚୁପରେ ତିଆରି ହୋଇଛନ୍ତି ଗଜାନନ । ବାଉଁଶ ଏବଂ କାଗଜ ଉପରେ ଗୁପଚୁପକୁ ସଜାଯାଇ ଏକ ୧୩ ଫୁଟ ଉଚ୍ଚର ବିରାଟ ଗଣେଶ ମୂର୍ତ୍ତିର ରୂପ ଦିଆଯାଇଛି ।ମହାରାଷ୍ଟ୍ରର ଲୋକପ୍ରିୟ ଗଣେଶ ପୂଜାରେ ଗୁପଚୁପ ଗଣେଶ ଦେଖଣାହାରୀଙ୍କୁ ବେଶ ଆକର୍ଷିତ କରୁଛି। ଲୋକପ୍ରିୟ ଗଣେଶ ଭେଲ୍ର ମାଲିକ ତଥା ଦୁଇ ଭାଇ ରୂପେଶ ଏବଂ ଦୀନେଶ ଗୁଡ଼ମେୱାର ଏଭଳି ପ୍ରତିକୃତି ନିର୍ମାଣ କରିଛନ୍ତି । ଦୁଇ ମାସ ପୂର୍ବରୁ ଏହି ପ୍ରତିମା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ରୂପେଶ କୁହନ୍ତି ‘‘କାଠି ଯୋଡ଼େଇ ପ୍ରସ୍ତୁତ କରିବା ପାଇଁ ବାଉଁଶ ଏବଂ କାଗଜ ବ୍ୟବହାର କରିଥିଲୁ। ଏହାପରେ ସେହି ସଂରଚନାରେ ଗୋଟି ଗୋଟି କରି ଗୁପଚୁପ ଗୁଡ଼ିକୁ ସଜାଯାଇଥିଲା । ୧୩ ଫୁଟର ରୂପ ପ୍ରସ୍ତୁତ ପର୍ଯ୍ୟନ୍ତ ଆମେ ଗୁପଚୁପ ଯୋଡି ଚାଲିଥଲୁ । ଏହି ବଡ଼ ମୂର୍ତ୍ତିଟିକୁ କେବଳ ଏକ କଳାତ୍ମକ ପ୍ରଦର୍ଶନୀ ଭାବରେ ନିର୍ମାଣ କରାଯାଇଛି। ପୂଜା ଅର୍ଚ୍ଚନା ଏବଂ ଦର୍ଶନ ପାଇଁ ଏହାର ପାଖରେ ଏକ ଛୋଟ ଗଣେଶ ମୂର୍ତ୍ତି ସ୍ଥାପନ କରାଯାଇଛି। ତେଣୁ ଭକ୍ତମାନେ ଛୋଟ ପ୍ରତିମା ନିକଟରେ ପ୍ରାର୍ଥନା କରିବା ସହ ପାଖରେ ଥିବା ଗୁପଚୁପ ତିଆରି ଅପୂର୍ବ କୃତିକୁ ଦେଖି ଉପଭୋଗ କରିପାରିବେ’’।
