ମରାଠୀ ଏବଂ ବଲିଉଡର ଜଣାଶୁଣା ବରିଷ୍ଠ ଅଭିନେତା ଅଶୋକ ସରାଫଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ସେ ପୁନଃବିବାହ କରିଥିବା ଦେଖିବାକୁ ମିଳିଛି । ଯାହାକି ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ନିଜର ୩୭ତମ ବିବାହ ବାର୍ଷିକୀ ପାଳନକୁ ସ୍ବତନ୍ତ୍ର କରିଛନ୍ତି । ପତ୍ନୀ ନିବେଦିତାଙ୍କ ଗଳାରେ ଫୁଲହାର ଗଳାଇଥିବାବେଳେ ସେମାନଙ୍କ ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଆଉ ୟୁଜର୍ସମାନେ ଏଥିରେ ସକରାତ୍ମକ କମେଣ୍ଟମାନ ଦେଉଥିବାବେଳେ ଶୁଭେଚ୍ଛା ଜଣାଉଛନ୍ତି ।ଅଶୋକ ଓ ନିବେଦିତା ମରାଠୀ ସିନେମାର ଜଣେ ଲୋକପ୍ରିୟ ଦମ୍ପତି । ଦୁହେଁ ୧୯୯୦ ମସିହାରେ ଗୋଆର ପ୍ରସିଦ୍ଧ ମଙ୍ଗେଶୀ ମନ୍ଦିରରେ ବିବାହ କରିଥିଲେ। ଦୁହିଁଙ୍କ ସମ୍ପର୍କ ମଧ୍ୟରେ ୧୮ ବର୍ଷର ତଫାତ ଥିଲେ ମଧ୍ୟ ସେମାନଙ୍କ ସମ୍ପର୍କରେ କେବେ ବାଧା ହୋଇନାହିଁ । ଅଶୋକ ଓ ନିବେଦିତାଙ୍କର ଜଣେ ପୁଅ ଅଛନ୍ତି । ଯାହାଙ୍କ ନାମ ଅନିକେତ ସରାଫ। ସେ ଅଭିନୟ କ୍ଷେତ୍ରକୁ ନଯାଇ ଜଣେ ଶେଫ୍ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।
ଅଶୋକ ସରାଫ ୧୯୯୦ର ଲୋକପ୍ରିୟ ହିନ୍ଦୀ ସିଟକମ୍ ‘ହମ୍ ପାଞ୍ଚ’ରେ ଆନନ୍ଦ ମାଥୁରଙ୍କ ଭୂମିକା କରିଥିଲେ। ତାଙ୍କ ଅଭିନୟ ଦର୍ଶକଙ୍କ ହୃଦୟ ଜିତିଥିଲା । ଏହି ଚରିତ୍ର ତାଙ୍କୁ ସାରା ଦେଶରେ ଘରେ ଘରେ ପରିଚିତ କରାଇଥିଲା ଏବଂ ଲୋକେ ତାଙ୍କ ହାସ୍ୟ ଅଭିନୟର ବଡ଼ ପ୍ରଶଂସକ ହୋଇଥିଲେ । ଚଳିତ ବର୍ଷ ଅଶୋକ ସରାଫ ନିଜ ପତ୍ନୀଙ୍କ ସହ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ମଧ୍ୟ ଯୋଗ ଦେଇଥିଲେ । ସେଠାରେ ଦୁହେଁ ଗର୍ବର ସହ ମହାରାଷ୍ଟ୍ରର ପାରମ୍ପରିକ ସଂସ୍କୃତିକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିଥିଲେ।
