ଗୁରୁ ଓ ଶିଷ୍ୟର ପବିତ୍ର ସମ୍ପର୍କରେ ପୁଣି ଲାଗିଲା ଦାଗ। ପୁଣି ଜଣେ ଛାତ୍ରୀ ଯୌନ ପିପାସୁ ଶିକ୍ଷକଙ୍କ ଶିକାର ହୋଇଛନ୍ତି। ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ଫୁଲବାଣୀ ସଦର ବ୍ଲକରେ।ଗତବର୍ଷ ନଭେମ୍ବର ୨୧ ତାରିଖରେ ଛାତ୍ରୀଜଣକ ଫୁଲବାଣୀ ଠାରେ ଚାଲିଥିବା ବିଜ୍ଞାନ ମେଳାରେ ଭାଗ ନେବାକୁ ଉକ୍ତ ଶିକ୍ଷକଙ୍କ ସହ ଯାଇଥିଲେ। ଫେରିବା ବେଳେ ସନ୍ଧ୍ୟା ହୋଇ ଥିବାରୁ ଏହାର ସୁଯୋଗ ନେଇ ନିଛାଟିଆ ଜଙ୍ଗଲକୁ ନେଇ ଶିକ୍ଷକ ଜଣକ ତାଙ୍କୁ ଅସଦାଚରଣ କରିବା ସହ ଦୁଷ୍କର୍ମ କରିଥିଲେ। କାହାକୁ କିଛି ନ କହିବା ପାଇଁ ଧମକ ଦେଇ ଘରେ ନେଇ ଛାଡିଥିଲେ। ଏହାପରେ ସ୍କୁଲରେ ତାଙ୍କ ସହ ୬ ଥର ଶାରୀରିକ ସମ୍ପର୍କ ରଖିଥିଲେ।ଘଟଣା ସମ୍ପର୍କରେ ଝିଅର ସାଙ୍ଗସାଥୀ ଜାଣିବା ପରେ ପ୍ରଧାନଶିକ୍ଷଙ୍କୁ ଅବଗତ କରିଥିଲେ। ହେଲେ ସେ ଘଟଣାକୁ ବିଶେଷ ଗୁରୁତ୍ୱ ଦେଇ ନଥିବା ସହପାଠୀମାନେ କହିଛନ୍ତି।
ଇତି ମଧ୍ୟରେ ଝିଅର ସ୍ବାସ୍ଥ୍ୟ ବିଗିଡିବାରୁ ଅନ୍ୟ ଜଣେ ଶିକ୍ଷକ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଘରଲୋକେ ଆସିବା ପରେ ନାବାଳିକା ଜଣକ ସେମାନଙ୍କ ଆଗରେ ସବୁ କଥା କହିଥିଲେ। ଏହା ପରେ ପିଡିତାଙ୍କ ମା’ ଗୋଚ୍ଛାପଡା ଥାନାରେ ଏତଲା ଦେଇଥିଲେ । ଏତଲା ଆଧାରରେ ପୁଲିସ ମାମଲା ରୁଜୁ କରି ସମ୍ପୃକ୍ତ ଶିକ୍ଷକଙ୍କୁ ଗିରଫ କରିଛି।
