ରାଜ୍ୟର ଯୁକ୍ତ ଦୁଇ (Plus two) ନାମଲେଖା ପାଇଁ ୨୦୨୬-୨୭ ଶିକ୍ଷାବର୍ଷର ଫେଜ୍-୧ ଅନଲାଇନ୍ ସ୍ପଟ୍ ନାମଲେଖା ନିମନ୍ତେ ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ (DHSE) ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି। SAMS ଇ-ଆଡମିଶନ ବ୍ୟବସ୍ଥାରେ ଏହି ପ୍ରକ୍ରିୟା ଜୁଲାଇ ୩୦ରୁ ଆରମ୍ଭ ହୋଇ ଅଗଷ୍ଟ ୧୨ ପର୍ଯ୍ୟନ୍ତ ଚାଲିବ।ନିର୍ଦ୍ଦେଶାଳୟ ସ୍ପଷ୍ଟ କରିଛି ଯେ, ସ୍ପଟ୍ ଆଡମିଶନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଅନଲାଇନ୍ରେ ହେବ। ପ୍ରତ୍ୟେକ ଆବେଦନକାରୀ ସର୍ବନିମ୍ନ ଗୋଟିଏ ଏବଂ ସର୍ବାଧିକ ୧୦ଟି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଚୟନ କରିପାରିବେ। ଚଏସ୍ ଲକିଂ ପରେ ଥରେ ମାତ୍ର ଓଟିପି ଆଧାରିତ ସୁବିଧା ମାଧ୍ୟମରେ ବିକଳ୍ପ ସଂଶୋଧନ କରିବାର ସୁଯୋଗ ମିଳିବ ।ଏହି ସ୍ପଟ୍ ଆଡମିଶନରେ ସ୍ଲାଇଡ୍-ଅପ୍ ପାଇଁ ଆବେଦନ କରିଥିବା, ସ୍ଲାଇଡ୍-ଅପ୍ ଆବେଦନ କରିବାକୁ ଭୁଲିଯାଇଥିବା, ପ୍ରଥମ ପର୍ଯ୍ୟାୟରେ ମନୋନୀତ ହୋଇ ନାମଲେଖା କରିନଥିବା, ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ମନୋନୀତ ହୋଇନଥିବା, ଦ୍ୱିତୀୟ ପର୍ଯ୍ୟାୟରେ ମନୋନୀତ ହୋଇଥିଲେ ମଧ୍ୟ ଭର୍ତ୍ତି ହୋଇଥାନ୍ତୁ କିମ୍ବା ନହୋଇଥାନ୍ତୁ, ଏବଂ ଜୁଲାଇ ୨୯ ସୁଦ୍ଧା ଯାହାଙ୍କ ଆଡମିଶନ ବାତିଲ ହୋଇଛି ସେମାନେ ଅଂଶଗ୍ରହଣ କରିପାରିବେ। ତେବେ ଫେଜ୍-୧ରେ CAF ଦାଖଲ କରିନଥିବା ନୂଆ ପ୍ରାର୍ଥୀମାନେ ସ୍ପଟ୍ ଆଡମିଶନ ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ।
ସ୍ପଟ୍ ସିଲେକ୍ସନ ସମ୍ପୂର୍ଣ୍ଣ ମେଧାତାଲିକା ଓ ଖାଲି ଥିବା ଆସନ ଆଧାରରେ କରାଯିବ। ଏଥିରେ କୌଣସି ପ୍ରକାର ସଂରକ୍ଷଣ କିମ୍ବା ୱେଟେଜ୍ ଲାଗୁ ହେବ ନାହିଁ। ମେଧାତାଲିକା କେନ୍ଦ୍ରୀୟ ଭାବେ ପ୍ରସ୍ତୁତ ହୋଇ ଛାତ୍ରଛାତ୍ରୀଙ୍କ ଲଗ୍ଇନ୍ ଏବଂ HSS e-Spaceରେ ଉପଲବ୍ଧ ହେବ।
