ଦିଲ୍ଲୀରେ ଆୟୋଜିତ SEMICON India 2026 କାର୍ଯ୍ୟକ୍ରମରେ ସାମିଲ ହେବା ପରେ ଓଡ଼ିଶାରେ ସେମିକଣ୍ଡକ୍ଟର କ୍ଷେତ୍ରର ବିକାଶ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରେସମିଟ୍ରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ସେମିକଣ୍ଡକ୍ଟର କ୍ଷେତ୍ରରେ ଆଗକୁ ବଢ଼ୁଥିବା ସେ କହିଛନ୍ତି।ସେମିକଣ୍ଡକ୍ଟର ଓ ଆଧୁନିକ ଟେକ୍ନୋଲୋଜି କ୍ଷେତ୍ରରେ ଓଡ଼ିଶାକୁ ଦେଶର ଏକ ପ୍ରମୁଖ ହବ୍ରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଜାରି ରହିଛି ।ଏହାଛଡ଼ା ରାଜ୍ୟର ସେମିକଣ୍ଡକ୍ଟର କ୍ଷେତ୍ରର ନିବେଶ, ନିଯୁକ୍ତି ଓ ଭବିଷ୍ୟତ ଯୋଜନା ସମ୍ପର୍କରେ ସବିଶେଷ ସୂଚନା ଦେଇଛନ୍ତି ।ମୁଖ୍ୟମନ୍ତ୍ରୀଙ୍କ କହିବାନୁସାରେ, ସେମିକଣ୍ଡକ୍ଟର ମିଶନ ଅଧୀନରେ ଦେଶରେ ୧୨ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବା ବେଳେ ଏଥିରୁ ଦୁଇଟି ପ୍ରକଳ୍ପ ଓଡ଼ିଶାକୁ ମିଳିଛି। ଏହି ପ୍ରକଳ୍ପଗୁଡ଼ିକ ହେଉଛି ସିକ୍ସେମ୍ ପ୍ରାଇଭେଟ୍ ଲିମିଟେଡ୍ ଓ ଥ୍ରୀ-ଡି ଗ୍ଲାସ୍ ସଲ୍ୟୁସନ୍ସ (3DGS)। ଉଭୟ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଓଡ଼ିଶାରେ ଆରମ୍ଭ ହୋଇସାରିଛି ।
ଓଡ଼ିଶାରେ ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ନିବେଶକୁ ନେଇ ରାଜ୍ୟ ସରକାର ମଧ୍ୟ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅନୁସାରେ, ପ୍ରାୟ ୧୧ ହଜାର କୋଟି ଟଙ୍କାର ପ୍ରକଳ୍ପ ରାଜ୍ୟ ସରକାରଙ୍କ ପକ୍ଷରୁ ମଞ୍ଜୁର ହୋଇଛି।ଓଡ଼ିଶାକୁ ସେମିକଣ୍ଡକ୍ଟର ହବ୍ରେ ପରିଣତ କରିବା ଲକ୍ଷ୍ୟରେ ବିଶ୍ୱସ୍ତରୀୟ କମ୍ପାନୀ Intel ଓ 3DGS ମଧ୍ୟରେ ହୋଇଥିବା MoUକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଏହି ଯୋଜନା ମାଧ୍ୟମରେ ଓଡ଼ିଶାକୁ ପ୍ରାୟ ୩୦,୫୫୦ କୋଟି ଟଙ୍କାର ନିବେଶ ଆସିବା ସହ ପ୍ରାୟ ୧,୮୦୦ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି ହେବାର ଲକ୍ଷ୍ୟ ରହିଛି । ଏହା ସହିତ ସିକ୍ସେମ୍ ସହ ଫେଜ୍-୨ ପ୍ରକଳ୍ପ ଆରମ୍ଭ କରିବା ନେଇ ମଧ୍ୟ ଉଦ୍ୟମ ଚାଲିଛି । ଏଥିରେ ସିଲିକନ୍ କାର୍ବାଇଡ୍ ଫ୍ୟାବ୍ରିକେସନ୍ ଓ ପ୍ୟାକେଜିଂ ଫାସିଲିଟି ନିର୍ମାଣର ଲକ୍ଷ୍ୟ ରହିଛି ବୋଲି ସିଏମ୍ ମୋହନ ମାଝୀ ସୂଚନା ଦେଇଛନ୍ତି ।
