ଆମେରିକାର ମିଶିଗାନରେ ଟ୍ରେନିଂ ସମୟରେ ଆମେରିକୀୟ ବାୟୁସେନାର F-16 ଫାଇଟର ଜେଟ୍ କ୍ରାସ୍ ହୋଇଛି । ଗୁରୁବାର ଗ୍ରାଣ୍ଡ ଟ୍ରାଭର୍ସ କାଉଣ୍ଟିର ଏକ ଗ୍ରାମାଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ଜଣେ ପାଇଲଟ୍ ଆଶଙ୍କା କରିଛନ୍ତି ଯେ, ବିମାନଟି ହୁଏତ କୌଣସି ପକ୍ଷୀ ସହ ଧକ୍କା ହୋଇ କ୍ରାଶ୍ ହୋଇଥାଇପାରେ । ବିମାନରେ ଥିବା ପାଇଲଟ୍ ସମୟ ପୂର୍ବରୁ ନିଜକୁ ଇଜେକ୍ଟ କରିଥିଲେ ଏବଂ ପାରାଶୁଟ୍ ସାହାଯ୍ୟରେ ସୁରକ୍ଷିତ ଭାବେ ତଳକୁ ଅବତରଣ କରିଥିଲେ।ଟେକ୍ସାସ ମିଲିଟାରୀ ଡିପାର୍ଟମେଣ୍ଟ ଅନୁସାରେ, ଟେକ୍ସାସ ନ୍ୟାସନାଲ ଗାର୍ଡର ୧୪୯ତମ ଫାଇଟର ୱିଙ୍ଗ୍ ଦ୍ୱାରା ପରିଚାଳିତ F-16 ଫାଇଟିଂ ଫାଲକନ୍ ଆଲ୍ପେନାସ୍ଥିତ ଏୟାର ନ୍ୟାସନାଲ ଗାର୍ଡ କମ୍ବାଟ୍ ରେଡିନେସ୍ ଟ୍ରେନିଂ ସେଣ୍ଟରରୁ ପ୍ରଶିକ୍ଷଣ ମିଶନ୍ରେ ଉଡ଼ାଣ ଭରିଥିଲା। ଏହି ସମୟରେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାର କାରଣ ସମ୍ପର୍କରେ ଅଧିକାରୀମାନେ ତୁରନ୍ତ କୌଣସି ସୂଚନା ଦେଇନାହାନ୍ତି । ଦୁର୍ଘଟଣା ପରେ ପାଇଲଟ୍ଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା । ଟେକ୍ସାସ ନ୍ୟାସନାଲ ଗାର୍ଡର ୧୪୯ତମ ଫାଇଟର ୱିଙ୍ଗ୍ର ପ୍ରବକ୍ତା ସାର୍ଜେଣ୍ଟ ଡେରେକ୍ ଗୁଟିରେଜ୍ ପାଇଲଟ୍ଙ୍କ ପରିଚୟ ଏବଂ ତାଙ୍କ ଆହତ ସମ୍ପର୍କରେ କୌଣସି ସୂଚନା ଦେବାକୁ ମନା କରିଛନ୍ତି । ତେବେ ଗ୍ରାଣ୍ଡ ଟ୍ରାଭର୍ସ କାଉଣ୍ଟିର ଶେରିଫ୍ ମାଇକେଲ୍ ଡି. ଶିଆଙ୍କ କହିବା ଅନୁଯାୟୀ, ପାଇଲଟ୍ ହସ୍ପିଟାଲରେ ସଚେତନ ଥିଲେ ଏବଂ ପୁଲିସ ସହ କଥା ହେଉଥିଲେ। ଏହି F-16 ଆଲ୍ପେନାରେ ଥିବା ନ୍ୟାସନାଲ ଗାର୍ଡ ବେସ୍ରେ ଚାଲିଥିବା ଟ୍ରେନିଂରେ ସାମିଲ ଥିଲା । ଏହି ସ୍ଥାନ ଡେଟ୍ରଏଟ୍ଠାରୁ ପ୍ରାୟ ୩୦୫ କିଲୋମିଟର ଉତ୍ତରରେ ଅବସ୍ଥିତ । ଦୁର୍ଘଟଣାର ପ୍ରକୃତ କାରଣ ନେଇ ତଦନ୍ତ ଜାରି ରହିଛି ।
