ବେଙ୍ଗାଲୁରୁର ବହୁ ପ୍ରତିଷ୍ଠିତ ୩-ତାରକା ଓ ୫-ତାରକା ହୋଟେଲଗୁଡ଼ିକରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ କରାଯାଇଥିବା ସ୍ୱତନ୍ତ୍ର ଚଢ଼ାଉ ବେଳେ ବ୍ୟାପକ ଅନିୟମିତତା ସାମ୍ନାକୁ ଆସିଛି। ରାଜ୍ୟର ଫୁଡ୍ ସେଫ୍ଟି ଆଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ ବିଭାଗର ସ୍ୱତନ୍ତ୍ର ଯାଞ୍ଚ ବେଳେ ଏକ୍ସପାୟାରି ଖାଦ୍ୟ, ଫିମ୍ପି ଲାଗିଥିବା ପରିବା ଏବଂ ଅସ୍ୱଚ୍ଛ ପରିବେଶରେ ରୋଷେଇ ଓ ଷ୍ଟୋରେଜ୍ ବ୍ୟବସ୍ଥା ଦେଖିବାକୁ ମିଳିଛି। କେତେକ ହୋଟେଲରେ ଆମିଷ ଓ ନିରାମିଷ ଖାଦ୍ୟ ଏକାଠି ରଖାଯାଇଥିବା ବେଳେ ‘ଏଫଏସଏସଏଆଇ’ ନିୟମାବଳୀର ଉଲ୍ଲଂଘନ ଏବଂ ଭୁଲ୍ ଲେବଲିଂ ମଧ୍ୟ ଧରାପଡ଼ିଛି।ଚଢ଼ାଉ ସମୟରେ ‘ଦି ଲଳିତ ଅଶୋକ’ରୁ ୭୬ କିଲୋ ମାଂସ, ୨୦୦ କିଲୋ ପରିବା ଏବଂ ୩୨ ଲିଟର ମିଆଦପୂର୍ଣ୍ଣ କ୍ଷୀର ଜବତ କରାଯାଇ ନଷ୍ଟ କରାଯାଇଛି। ସେହିପରି ‘ଶାଙ୍ଗ୍ରି-ଲା’ରୁ ୧୫ କିଲୋ ମାଂସ, ‘ଫୋର୍ ସିଜନ୍ସ’ରୁ ୧୯ କିଲୋ ମାଂସ, ‘ଭିଭାନ୍ତା ୱାଇଟଫିଲ୍ଡ’ରୁ ୩ କିଲୋ ମିଆଦପୂର୍ଣ୍ଣ ବେକରୀ ସାମଗ୍ରୀ ଏବଂ ‘ତାଜ୍ ୟଶବନ୍ତପୁର’ରୁ ୭୨ କିଲୋ ମାଂସ ଜବତ ହୋଇଛି।ଅଧିକାରୀମାନେ କ୍ଷୀର, ଚିକେନ୍, ମଟନ୍, ମାଛ, ଖାଇବା ତେଲ, ମସଲା, ଚା’ ପତି, ଚିଜ୍, ଟମାଟୋ ସସ୍, ଲେମ୍ବୁ ରସ ଆଦିର ନମୁନା ସଂଗ୍ରହ କରିଛନ୍ତି। ଏହି ନମୁନାର ଲାବରେଟୋରୀ ରିପୋର୍ଟ ଆସିବା ପରେ ଆବଶ୍ୟକ ହେଲେ ଆହୁରି କଠୋର ପଦକ୍ଷେପ ନିଆଯିବ। ଯେଉଁ ହୋଟେଲରେ ନିୟମ ଉଲ୍ଲଂଘନ ମିଳିଛି, ସେମାନଙ୍କୁ ନୋଟିସ୍ ଜାରି କରାଯାଇଛି।
