ଖୁବଶୀଘ୍ର ପୁରୀରେ ଚାଲିବ କ୍ରୁଜ୍ ! ପୁରୀ ସହର ଉପକଣ୍ଠ ମଙ୍ଗଳା ମୁହାଣ ନିକଟରେ ହେବ ଅତ୍ୟାଧୁନିକ କ୍ରୁଜ ଟର୍ମିନାଲ। ଏଠାରୁ ରାଜ୍ୟ ଓ ରାଜ୍ୟ ବାହାରକୁ ଚଳାଚଳ କରିବ ସୌଖୀନ ଜାହାଜ। ପାରାଦୀପ, ବିଶାଖାପାଟଣା, ଦୀଘା, ଆଣ୍ଡାମାନକୁ ଏହି କ୍ରୁଜ ଚଳାଚଳ କରିବ। ପୁରୀରେ କ୍ରୁଜ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସ୍ୱାଗତ କରିଛି ପୁରୀ ହୋଟେଲ ଆସୋସିଏସନ୍। ଏହି ପ୍ରକଳ୍ପ ଦ୍ୱାରା ରାଜ୍ୟରେ ପର୍ଯ୍ୟଟନ ଶିଳ୍ପ ଅଭିବୃଦ୍ଧି ହେବା ସହ ପୁରୀ ସାରା ବିଶ୍ୱରେ ଚର୍ଚ୍ଚିତ ହେବ । ଓଡ଼ିଶା ସମେତ ପୁରୀକୁ ଦେଶ ବିଦେଶରୁ ଅଧିକ ପର୍ଯ୍ୟଟକ ଆସିବେ ବୋଲି ପୁରୀ ହୋଟେଲ ଆସୋସିଏସନ୍ ପକ୍ଷରୁ କୁହାଯାଇଛି।ମଙ୍ଗଳା ମୁହାଣ ନିକଟରେ ପ୍ରାୟ ୬୦ ଏକର ଜମିରେ ଏହି ପ୍ରକଳ୍ପ ହେବ। ଏହି ପ୍ରକଳ୍ପ ନେଇ ଖୁବ୍ ଶୀଘ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଚୁକ୍ତି ସ୍ୱାକ୍ଷର ହେବ। କ୍ରୁଜ ଟର୍ମିନାଲ ପ୍ରକଳ୍ପ ସଫଳ ହେଲେ ପର୍ଯ୍ୟଟକ ମାନେ ପୁରୀରୁ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ସୁବିଧାରେ ଯାତାୟାତ କରିପାରିବେ। କ୍ରୁଜ ଟର୍ମିନାଲ ପ୍ରକଳ୍ପ ନେଇ ବିଶେଷଜ୍ଞ ଟିମ୍ ଅନୁଧ୍ୟାନ କରିଥିବା ବେଳେ ଟିମର ରିପୋର୍ଟ ଆସିବା ପରେ ଜମି ଯୋଗାଇ ଦେବା ନେଇ ପଦକ୍ଷେପ ଗ୍ରହଣ କରାଯିବ। ଆଗାମୀ ୨ ରୁ ୩ ବର୍ଷ ଭିତରେ ଏହି ପ୍ରକଳ୍ପ କରିବାକୁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ରହିଛି। ଓଡ଼ିଶା ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ନିମନ୍ତେ ରାଜ୍ୟ ସରକାର ଏହି ପ୍ରକଳ୍ପ ହାତକୁ ନେଇଛନ୍ତି।
