ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସରକାର ଏକ ନୂଆ ପ୍ରସ୍ତାବ ଉପରେ ବିଚାର କରୁଛନ୍ତି। ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ, ଆମେରିକାର ବିଶ୍ୱବିଦ୍ୟାଳୟରୁ ପାଠପଢ଼ା ଶେଷ କରିଥିବା ବିଦେଶୀ ଛାତ୍ରୀଛାତ୍ରଙ୍କୁ ସେଠାରେ ଚାକିରି କରିବା ପାଇଁ ୧ ଲକ୍ଷ ଆମେରିକୀୟ ଡଲାର (ପ୍ରାୟ ୯୬ ଲକ୍ଷ ଟଙ୍କା) ଦେବାକୁ ପଡ଼ିପାରେ । ୱାଲ୍ ଷ୍ଟ୍ରିଟ୍ ଜର୍ନାଲ୍ର ଏକ ରିପୋର୍ଟରେ ଏହି ଦାବି କରାଯାଇଛି।ସରକାରଙ୍କ ଯୁକ୍ତି ହେଉଛି, ଆମେରିକୀୟ ଚାକିରିକୁ ସୁରକ୍ଷା ଦେବା ଏବଂ ବିଦେଶୀ କର୍ମୀଙ୍କ ଉପରେ ନିର୍ଭରଶୀଳତା କମାଇବା ପାଇଁ ଏଭଳି ପଦକ୍ଷେପ ଆବଶ୍ୟକ । କିନ୍ତୁ ଏହି ପ୍ରସ୍ତାବକୁ ନେଇ ବିରୋଧ ମଧ୍ୟ ଜୋରଦାର ହୋଇଛି। ବିଶେଷଜ୍ଞଙ୍କ ମତରେ, ଏତେ ବଡ଼ ଫି ଲାଗୁ ହେଲେ ଆମେରିକାରେ ଉଚ୍ଚଶିକ୍ଷା ପାଇଁ ବିଦେଶୀ ଛାତ୍ରଙ୍କ ସଂଖ୍ୟା କମିପାରେ। ଏହାର ପ୍ରଭାବ ବିଶ୍ୱବିଦ୍ୟାଳୟ, ଟେକ୍ କମ୍ପାନୀ ଏବଂ ଆମେରିକାର ପ୍ରତିଭା ଆକର୍ଷଣ କ୍ଷମତା ଉପରେ ମଧ୍ୟ ପଡ଼ିପାରେ । ଭାରତୀୟ ଛାତ୍ରଛାତ୍ରୀମାନେ OPTର ସବୁଠାରୁ ବଡ଼ ଲାଭାର୍ଥୀଙ୍କ ମଧ୍ୟରେ ଅଛନ୍ତି। ତେଣୁ ଏହି ପ୍ରସ୍ତାବ ଲାଗୁ ହେଲେ ଭାରତରୁ ଆମେରିକାକୁ ଉଚ୍ଚଶିକ୍ଷା ପାଇଁ ଯିବାକୁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ଉପରେ ଆର୍ଥିକ ଚାପ ବଢ଼ିପାରେ। ତେବେ ଏପର୍ଯ୍ୟନ୍ତ ଏହା କେବଳ ବିଚାରାଧୀନ ପ୍ରସ୍ତାବ। ଏହି ଖବର ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ଅନେକ ଲୋକ ଏହାକୁ ଅବ୍ୟବହାରିକ ଓ ଅଯୁକ୍ତିକ ପ୍ରସ୍ତାବ ବୋଲି କହିବା ସହ ଏହା ଯୋଗୁଁ ବିଶ୍ୱର ମେଧାବୀ ଛାତ୍ରୀଛାତ୍ର ଆମେରିକାରେ ପଢ଼ିବାକୁ ଆସିବାରୁ ବିରତ ରହିପାରନ୍ତି ବୋଲି ମତ ଦେଇଛନ୍ତି। ରିପୋର୍ଟ ଅନୁସାରେ, ଏହି ନୂଆ ଶୁଳ୍କ ଅପ୍ସନାଲ ପ୍ରାକ୍ଟିକାଲ ଟ୍ରେନିଂ (OPT) ଯୋଜନା ସହ ଜଡ଼ିତ ହୋଇପାରେ। OPT ହେଉଛି ଏମିତି ଏକ ବ୍ୟବସ୍ଥା, ଯାହା ଅଧୀନରେ ବିଦେଶୀ ଛାତ୍ରୀଛାତ୍ର ପାଠପଢ଼ା ଶେଷ କରିବା ପରେ ସର୍ବାଧିକ ତିନି ବର୍ଷ ପର୍ଯ୍ୟନ୍ତ ଆମେରିକାରେ କାମ କରିପାରନ୍ତି। ସେମାନଙ୍କ ପାଠ୍ୟକ୍ରମ ଅନୁଯାୟୀ ଏହି ସମୟସୀମା ନିର୍ଦ୍ଧାରଣ କରାଯାଏ।
ଟ୍ରମ୍ପଙ୍କ ନୂଆ ପ୍ଲାନ୍! ଆମେରିକାରେ ପଢ଼ି ଚାକିରି କଲେ ଦେବାକୁ ହେବ ୧ ଲକ୍ଷ ଆମେରିକୀୟ ଡଲାର
By madhulekha2 Mins Read
