ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟା ୫ଟା ୩୦ ମିନିଟ୍ ସମୟରେ ଏହି ଲଘୁଚାପ କ୍ଷେତ୍ରଟି ସକ୍ରିୟ ହୋଇଛି। ୨୧ରେ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବ । ୨୨ରେ ଆହୁରି ଘନୀଭୂତ ହୋଇ ଗଭୀର ଅବପାତ ହୋଇପାରେ ! ବଙ୍ଗୋପସାଗରରେ ଘନୀଭୂତ ହେବ ସିଷ୍ଟମ୍ । ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ମୁହାଁ ହେବ ସିଷ୍ଟମ୍ । ୨୩ ତାରିଖରେ ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିବ । ବଙ୍ଗୋପସାଗରରେ ବଢ଼ିବ ଶକ୍ତି । ସମୁଦ୍ରରୁ ବଳ ଗୋଟାଇ ବାତ୍ୟାର ରୂପ ନେଇପାରେ। କିଛି ଘରୋଇ ପାଣିପାଗ ସଂସ୍ଥା ଏପରି ଆକଳନ କରିଛନ୍ତି । ଆଇଏମଡିର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତିଙ୍କ ସୂଚନା ଅନୁଯାୟୀ, ଏହି ସମ୍ଭାବ୍ୟ ଲଘୁଚାପ ଧୀରେ ଧୀରେ ଘନୀଭୂତ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ ଏବଂ ପରବର୍ତ୍ତୀ ୩-୪ ଦିନ ମଧ୍ୟରେ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଅଗ୍ରସର ହେବ। ସେପ୍ଟେମ୍ବର ୨୩ ତାରିଖ ସକାଳ ସୁଦ୍ଧା ଏହା ଉପକୂଳ ନିକଟତର ହେବାର ସମ୍ଭାବନା ରହିଛି। ତେବେ ଲଘୁଚାପ କ୍ଷେତ୍ରଟି ସମ୍ପୂର୍ଣ୍ଣ ରୂପ ନେବା ପରେ ହିଁ ଏହାର ତୀବ୍ରତା ଏବଂ ଗତିପଥ ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳିପାରିବ ବୋଲି ସେ କହିଛନ୍ତି। ଏହି ପରିପ୍ରେକ୍ଷୀରେ ବର୍ତ୍ତମାନଠାରୁ ବାତ୍ୟାକୁ ନେଇ କୌଣସି ପ୍ରକାର ଆତଙ୍କିତ ବା ଭୟଭୀତ ନହେବାକୁ ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ।
