ରୁଷ୍ର ରାଷ୍ଟ୍ରପତି ଦୁଇ ଦିବସୀୟ ଭାରତ ଗସ୍ତରେ ଅଛନ୍ତି। ଆଜି ଯାତ୍ରାର ଦ୍ୱିତୀୟ ଦିନ। ତାଙ୍କର ରାଷ୍ଟ୍ରପତି ଭବନରେ ଭବ୍ୟ ସ୍ୱାଗତ କରାଯାଇଛି। ଏହାପରେ ହାଇଦ୍ରାବାଦ ହାଉସ୍ରେ ପ୍ରଧାନମନ୍ତ୍ରୀ ମୋଦି ଓ ରୁଷୀୟ ରାଷ୍ଟ୍ରପତି ଦ୍ୱିପାକ୍ଷୀୟ ଆଲୋଚନା କରିଛନ୍ତି।ଏହି ଆଲୋଚନା ପରେ ଦୁଇ ଦେଶ ମଧ୍ୟରେ ହୋଇଥିବା ବୁଝାମଣା ସମ୍ପର୍କରେ ତଥ୍ୟ ଆଦାନପ୍ରଦାନ କରାଯାଇଛି। ମୋଦୀ ଏବଂ ପୁଟିନଙ୍କ ମଧ୍ୟରେ ୭ଟି ବୁଝାମଣା ସମ୍ପର୍କରେ ସହମତି ହୋଇଛି। ବିଶେଷ କରି ପ୍ରବାସୀ, ସ୍ବାସ୍ଥ୍ୟ, ମେଡିକାଲ ଶିକ୍ଷା, ଖାଦ୍ୟ ସୁରକ୍ଷା, ଜାହାଜ ନିର୍ମାଣ, ରସାୟନିକ ଏବଂ ସାର ଭଳି ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ବୁଝାମଣା ହୋଇଛି।ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ରାଷ୍ଟ୍ରପତି ପୁଟିନଙ୍କ ସହ ଆଲୋଚନାରେ ଉଭୟ ଦେଶ ପୋର୍ଟ ( ବନ୍ଦର) ଓ ସିପିଂ ସେକ୍ଟର( ବନ୍ଦର ପରିବହନ)ରେ ସହଯୋଗ ପାଇଁ ମଧ୍ୟ ଯୁଗ୍ମ ଘୋଷଣାନାମା ଉପରେ ଦସ୍ତଖତ କରିଛନ୍ତି। ସେ କହିଛନ୍ତି ଯେ, ଭାରତ ଓ ରୁଷ୍ ସ୍ୱାସ୍ଥ୍ୟ ଓ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ସହଯୋଗ ସହ ଜଡ଼ିତ ଚୁକ୍ତିନାମା ଉପରେ ମଧ୍ୟ ଦସ୍ତଖତ କରିଛନ୍ତି। ଭାରତ ଓ ରୁଷ୍ ୟୁରେସିୟନ ଇକୋନମିକ ୟୁନିୟନ ସହ ଏଫଟିଏକୁ ଖୁବ୍ ଶୀଘ୍ର ଅନ୍ତିମ ରୂପ ଦେବାର ଦିଗରେ କାମ କରୁଛନ୍ତି। ସେ କହିଛନ୍ତି ଯେ,ଦୁଇ ଦେଶ ମଧ୍ୟରେ ଆର୍ଥିକ ସହଯୋଗ ବଢାଇବା ଆମର ପ୍ରାଥମିକତା ଏବଂ ଏଥିପାଇଁ ୨୦୩୦ ଯାଏ ଆର୍ଥିକ ସହଯୋଗ କାର୍ଯ୍ୟକ୍ରମ ଉପରେ ସହମତି ହୋଇଛି। ପିଏମ୍ ମୋଦି ଏହାମଧ୍ୟ ଘୋଷଣା କରିଛନ୍ତି ଯେ, ଭାରତ ରୁଷ୍ ନାଗରିକଙ୍କ ପାଇଁ ଫ୍ରି ଇ-ଟୁରିଷ୍ଟ ଭିସା ଜାରି କରିବ ,ଯାହାର ବୈଧତା ୩୦ ଦିନ ପାଇଁ ହେବ।
୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି! ରୁଷ ନାଗରିକଙ୍କୁ ମିଳିବ ମାଗଣା ପର୍ଯ୍ୟଟକ ଭିଜା
By madhulekha1 Min Read
