ପତ୍ନୀ-ପିଲାଙ୍କୁ ଭରଣପୋଷଣ କିମ୍ବା ଛାଡ଼ପତ୍ର ସହାୟତା ଖର୍ଚ୍ଚ ନଦେଲେ କଟିବ ସରକାରୀ କର୍ମଚାରୀଙ୍କ ଦରମା । କର୍ମଚାରୀଙ୍କ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ଦେଲେ କଡ଼ା ନିର୍ଦ୍ଦେଶ। କୋର୍ଟ ନିର୍ଦ୍ଦେଶ ସତ୍ତ୍ୱେ ଭରଣପୋଷଣ ଦେଉନଥିବା ସରକାରୀ କର୍ମଚାରୀଙ୍କ ବିରୋଧରେ ହେବ ଆକ୍ସନ। ମାସିକ ଦରମାରୁ ଟଙ୍କା କାଟି ପତ୍ନୀ ଓ ପିଲାଙ୍କ ବ୍ୟାଙ୍କ ଖାତାକୁ ପଠାଇବେ ସରକାର ।ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଏନେଇ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଅଦାଲତଙ୍କ ପକ୍ଷରୁ ଭରଣପୋଷଣ କିମ୍ବା ଛାଡ଼ପତ୍ର ସମ୍ପର୍କିତ ପୋଷଣ ଖର୍ଚ୍ଚ ଦେବାକୁ ନିର୍ଦ୍ଦେଶ ଥିଲେ, ସମ୍ପୃକ୍ତ ବିଭାଗର DDO (Drawing & Disbursement Officer) ଏହାକୁ କାର୍ଯ୍ୟକାରୀ କରିବେ।ଆଗାମୀ ଦିନରେ ଭରଣପୋଷଣ ସମ୍ପର୍କିତ କୋର୍ଟ ନିର୍ଦ୍ଦେଶକୁ ରାଜ୍ୟ ସରକାରଙ୍କ ସମନ୍ୱିତ ଓ ସ୍ୱୟଂଚାଳିତ ବ୍ୟବସ୍ଥା HRMS ସହ ଯୋଡ଼ାଯିବ। ଏହା ଦ୍ୱାରା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ସ୍ୱୟଂଚାଳିତ କରାଯିବ। ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଅଦାଲତଙ୍କ ନିର୍ଦ୍ଦେଶର ଠିକ୍ ଭାବେ ଅନୁପାଳନ ହୋଇପାରିବ। ଏଥିସହ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଭରଣପୋଷଣ ନପାଇ ଅସୁବିଧାରେ ଥିବା ମହିଳା ଓ ସନ୍ତାନସନ୍ତତିଙ୍କୁ ମଧ୍ୟ ଆର୍ଥିକ ସହାୟତା ସମୟରେ ମିଳିପାରିବ।
