ଆନ୍ଧ୍ରପ୍ରଦେଶର ନାଲାମାଲା ଜଙ୍ଗଲରେ ଅବସ୍ଥିତ ଶ୍ରୀଶୈଲମ୍ । ଏହା ହେଉଛି ସେହି ଭୂମି ଯେଉଁଠାରେ ଶିବ ଏବଂ ଶକ୍ତିଙ୍କ ଉର୍ଜ୍ଜାକୁ ଏକ ସଙ୍ଗେ ଅନୁଭବ କରାଯାଇପାରିବ ।ଘଞ୍ଚ ଜଙ୍ଗଲ ଏବଂ ପର୍ବତ ଦ୍ୱାରା ଘେରି ରହିଥିବା କୃଷ୍ଣା ନଦୀ କୂଳରେ ଅବସ୍ଥିତ ଶ୍ରୀଶୈଳମ । ସତେ ଯେମିତି କୌଣସି ପ୍ରାଚୀନ କାହାଣୀ ଜୀବନ୍ତ ହୋଇଛି ଏହି ସ୍ଥାନରେ ।ଦୂରଦୂରାନ୍ତରୁ ଆସୁଥିବା ଯାତ୍ରୀମାନେ କୁହନ୍ତି ଯେ ଶ୍ରୀଶୈଳମରେ ପହଞ୍ଚିବା ମାତ୍ରେ ମନକୁ ଏକ ଅନନ୍ୟ ଶାନ୍ତି ମିଳିଥାଏ । ଶ୍ରୀଶୈଳମର ମୁଖ୍ୟ ମନ୍ଦିରର ନାମ ହେଉଛି ମଲ୍ଲିକାର୍ଜୁନ ସ୍ୱାମୀ ମନ୍ଦିର ।
ଭଗବାନ ଶିବଙ୍କ ୧୨ ଟି ପ୍ରସିଦ୍ଧ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଏହା ଅନ୍ୟତମ । ବିଶ୍ୱାସ କରାଯାଏ ଯେ ଭଗବାନ ଶିବ ନିଜେ ତାଙ୍କ ପୁତ୍ର କାର୍ତ୍ତିକେୟଙ୍କୁ ମନାଇବା ପାଇଁ ଏଠାରେ ଆବିର୍ଭାବ ହୋଇଥିଲେ, ଯିଏକି କିଛି ଭୁଲ ବୁଝାମଣା ହେତୁ କ୍ରୋଞ୍ଚ ପର୍ବତରେ ରହିବାକୁ ଯାଇଥିଲେ । ଏଠାରେ ଥିବା ଶକ୍ତି ଏତେ ଶାନ୍ତ ଏବଂ ପବିତ୍ର ବୋଲି ବିବେଚନା କରାଯାଏ ଯେ ଭକ୍ତମାନେ କେବଳ ପରିଦର୍ଶନ କରିବା ଦ୍ୱାରା ହିଁ ଏଠାକାର ଆଧ୍ୟାତ୍ମିକତା ଅନୁଭବ କରନ୍ତି ।ଜ୍ୟୋତିର୍ଲିଙ୍ଗର ଠିକ୍ ପାଖରେ ମା’ ଭ୍ରମରାମ୍ବାଙ୍କର ଶକ୍ତିପୀଠ ରହିଛି, ଯାହା ୧୮ଟି ମହାଶକ୍ତି ପୀଠ ମଧ୍ୟରୁ ଅନ୍ୟତମ । ପୁରାଣ ଅନୁସାରେ, ଏହା ହେଉଛି ସେହି ସ୍ଥାନ ଯେଉଁଠାରେ ମାତା ସତୀଙ୍କ ବେକ ପଡ଼ିଥିଲା ଏବଂ ସେବେଠାରୁ ଏଠାରେ ଦେବୀଙ୍କୁ ଭ୍ରମରାମ୍ବ ଅର୍ଥାତ୍ ମହୁମାଛିଙ୍କ ରାଣୀ ଭାବରେ ପୂଜା କରାଯାଏ ।
