ଆଜି ପବିତ୍ର ମାଘ ପୂର୍ଣ୍ଣିମା । ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଗଜୋଦ୍ଧାରଣ ବେଶ ଅନୁଷ୍ଠିତ ହେବ । ମଧ୍ୟାହ୍ନ ଧୂପ ବଢ଼ିବା ପରେ ଶ୍ରୀମନ୍ଦିର ରତ୍ନସିଂହାସନ ଉପରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଅନୁଷ୍ଠିତ ହେବ ।ଏହାପରେ ୩ ବାଡ଼ରେ ଗଜ ଉଦ୍ଧାରଣ ବେଶ ହୋଇଥାଏ। ଭିତରଚ୍ଛ ,ତଳିଚ୍ଛ, ପୁଷ୍ପାଳକ ନିଯୋଗ, ଖୁଣ୍ଟିଆ ଓ ମେକାପ ସେବକମାନଙ୍କ ସାହାଯ୍ୟ ସହଯୋଗରେ ଏହି ବେଶ କାର୍ଯ୍ୟ ସଂପାଦନ କରାଯାଇଥାଏ। ଠାକୁରମାନେ ଏହି ବେଶରେ ଚୂଳ, କିରୀଟ, କର୍ଣ୍ଣ କୁଣ୍ଡଳ, ସୂର୍ଯ୍ୟ ଚନ୍ଦ୍ର,ଅଣ୍ଟାପଟି,ହାତ ,ବାଜୁବନ୍ଧ, ହାତଫେର, ଆୟୁଧ- ଶଙ୍ଖ, ଚକ୍ର, ଗଦା, ପଦ୍ମ, ହଳ, ମୂଷଳ,ଅଣ୍ଟାପିଠି, ବାଙ୍କି, ପାହୁଡ,ଗୋଡ଼ ଖଡ଼ୁ,ହାତମାଳ,ନାକଚଣା, ପଦ୍ମ କଢି ପ୍ରଭୃତି ଅଳଙ୍କାର ଯାହାକି ସୋଲ, ଜରି, ଜମ୍ବୁରା, କନା,କଇଥ ଅଠା ଦ୍ବାରା ନିର୍ମିତ ହୋଇଥାଏ।କୁଶଳୀ କାରିଗରମାନେ ଏହି ବେଶ କାର୍ଯ୍ୟ ଅନ୍ତତଃ ୧୫ ଦିନ ପୂର୍ବରୁ ଶ୍ରୀମନ୍ଦିର ପରିସରରେ ପ୍ରସ୍ତୁତ କରିଥାନ୍ତି। ପୌରାଣିକ କଥାବସ୍ତୁ ଅନୁଯାୟୀ ବରୁଣ ହ୍ରଦରେ ଗଜରାଜ ସ୍ନାନ କରୁଥିବା ବେଳେ କୁମ୍ଭୀର ତାଙ୍କୁ ଆକ୍ରମଣ କରିଥିଲା।
ଗଜରାଜ କ୍ଷତବିକ୍ଷତ ଅବସ୍ଥାରେ ବିକଳ ହୋଇ ଉଦ୍ଧାର ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ । ଭକ୍ତର ଡାକ ଶୁଣି କୁମ୍ଭୀର କବଳରୁ ଗଜରାଜକୁ ଠାକୁର ଉଦ୍ଧାର କରିଥିଲେ । ସେହି ସ୍ମୃତିରେ ଶହଶହ ବର୍ଷ ଧରି ଠାକୁରଙ୍କ ଏହି ଗଜୋଦ୍ଧାରଣ ବେଶ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇ ଆସୁଛି।
