ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ୩ରେ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ପରେ ବଳାତ୍କାର ଘଟଣାରେ ଅଭିଯୁକ୍ତକୁ ଗିରଫ ହୋଇଛି ।
ଗତ ୬ ତାରିଖରେ ଛାତ୍ରୀଙ୍କ ଘରେ କେହି ନ ଥିବା ସୁଯୋଗ ନେଇ ଅଭିଯୁକ୍ତ ତାଙ୍କୁ ଅପହରଣ କରି ନେଇଥିଲେ। ଘଟଣା ପ୍ରଘଟ ହେବା ପରେ ଭୁବନେଶ୍ୱରରେ ରହି ଦିନ ମଜୁରିଆ କାମ କରୁଥିବା ଛାତ୍ରୀଙ୍କ ମା’ ଘରେ ପହଞ୍ଚି ଝିଅର ଖୋଜ ଖବର ନେଇଥିଲେ। ଘର ଆଲାମିରାରେ ପ୍ରାୟ ୧ ଲକ୍ଷ ଟଙ୍କା ଏବଂ ପ୍ରାୟ ୩ ଭରି ଓଜନର ସୁନାହାର,କାନଫୁଲ ନଥିବା ଜଣାପଡ଼ିଥିଲା। ଝିଅର ସନ୍ଧାନ ନ ମିଳିବାରୁ ଗତ ୮ ତାରିଖରେ ଦିଗପହଣ୍ଡି ଥାନାରେ ପହଞ୍ଚି ଅଭିଯୁକ୍ତଙ୍କ ନାଁ ରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଭାରପ୍ରାପ୍ତ ଆଇଆଇସି ତଥା ଡିଏସ୍ପି ପ୍ରଶାନ୍ତ କୁମାର ପାତ୍ର ମୋକଦ୍ଦମା ରୁଜୁ କରିଥିଲେ। ଶୁକ୍ରବାର ତଦନ୍ତକାରୀ ଅଧିକାରୀ ଅଭିଯୁକ୍ତଙ୍କ ଫୋନ୍ ଟ୍ରାକିଂ କରିବାରୁ ଲୋକେସନ ବ୍ରହ୍ମପୁର ରେଳ ଷ୍ଟେଶନ ଦେଖାଇଥିଲା। ସେ ସଦଳବଳ ଷ୍ଟେଶନରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ନାବାଳିକା ଛାତ୍ରୀଙ୍କୁ ଉଦ୍ଧାର କରି ଥାନାକୁ ଉଠାଇ ଆଣିଥିଲେ।
