ଖାକିରେ ଲାଗିଛି କଳଙ୍କ । ଜଣେ ପୁଲିସ କନ୍ଷ୍ଟେବଲ୍ଙ୍କ ନାଁରେ ଆସିଛି ଦୁଷ୍କର୍ମ ଅଭିଯୋଗ । ଜଣେ ମହିଳା ସଫେଇ କର୍ମଚାରୀଙ୍କୁ କନ୍ଷ୍ଟେବଲ୍ ଜଣକ ଦୁଷ୍କର୍ମ ଉଦ୍ୟମ କରିଛନ୍ତି । ଏଭଳି ଲଜ୍ଜା ଜନକ ଘଟଣା ଘଟିଛି କଟକ ବକ୍ସିବଜାର ପୋଲିସ ଲାଇନ୍ ଭିତରେ । ଏନେଇ ମହିଳା ସଫେଇ କର୍ମଚାରୀ କ୍ୟାଣ୍ଟନମେଣ୍ଟ ଥାନାରେ ଏତଲା ଦେବାପରେ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।। ଘଟଣାର ଗୁରୁତ୍ୱକୁ ଦେଖି କନ୍ଷ୍ଟେବଲ୍ ପରେଶକୁ କଟକ ଗ୍ରାମାଞ୍ଚଳ ଏସ୍ପି ଚାକିରିରୁ ନିଲମ୍ବନ କରିଛନ୍ତି ।ସୂଚନା ଅନୁସାରେ, ଗତ ବୁଧବାର ଭୋର୍ ସମୟ । ରାଜ୍ୟ ପୁଲିସ ମୁଖ୍ୟାଳୟଠାରୁ ମାତ୍ର ୧୦୦ ମିଟର ଦୂର ୱାର୍ଡ ନମ୍ବର-୧୫ର ସଫେଇ ଦାୟିତ୍ୱରେ ଥିବା ୪୬ ବର୍ଷର ଜଣେ ମହିଳା ଠିକା କର୍ମଚାରୀ ଝାଡ଼ୁ ମାରୁଥାନ୍ତି । ଝାଡ଼ୁ କରି କରି ସେ କଟକ ଗ୍ରାମାଞ୍ଚଳ ରିଜର୍ଭ କାର୍ଯ୍ୟାଳୟ ପାଖରେ ପହଞ୍ଚିଥିଲେ । ଏହି ସମୟରେ ଅଭିଯୁକ୍ତ କନ୍ଷ୍ଟେବଲ୍ ପରେଶ ରିଜର୍ଭ କାର୍ଯ୍ୟାଳୟ କ୍ୟାମ୍ପସ୍ରୁ ବାହାରିଆସି ସଫେଇ କର୍ମଚାରୀଙ୍କୁ ପଛରୁ ମାଡି ବସିଥିଲେ । ଭୋର୍ ସମୟ ହୋଇଥିବାରୁ ହଠାତ୍ ମହିଳା ଜଣକ ପରେଶଙ୍କୁ ଦେଖି ପାରିନଥିଲେ । କିନ୍ତୁ ସେ ପାଟି କରିଥିଲେ । ତଥାପି ପରେଶ ତାଙ୍କୁ ଧରିନେଇ ଅସଦାଚରଣ କରିଥିଲେ । ତେବେ ପୀଡ଼ିତା କୌଶଳକ୍ରମେ ସେଠାରୁ ଖସି ପୁଲିସ ମୁଖ୍ୟାଳୟ ଅଭିମୁଖେ ଦୌଡ଼ିଥିଲେ ।ପୀଡ଼ିତା ନିଜ ସହିତ ଘଟିଥିବା କଥା କହିବାରୁ ତୁରନ୍ତ କ୍ୟାଣ୍ଟନମେଣ୍ଟ ଥାନାକୁ ସୂଚନା ଦିଆଗଲା । ମାତ୍ର ଥାନା କର୍ମଚାରୀ ପହଞ୍ଚିଲା ବେଳକୁ ଅଭିଯୁକ୍ତ ପରେଶ ସେଠାରୁ କେଉଁଆଡ଼େ ପଳାଇଥିଲା । ଏହାପରେ ଅଭିଯୁକ୍ତକୁ ଖୋଜିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଥିଲା । ଗୁରୁବାର ସକାଳେ ଅଭିଯୁକ୍ତ ପରେଶକୁ ତାଙ୍କ ଦେଉଳସାହି ସ୍ଥିତ ଭଡ଼ା ଘରୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।
ସଫେଇ କର୍ମଚାରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ କନଷ୍ଟେବଳ ଗିରଫ
By madhulekha1 Min Read
