ଯାଜପୁରଜିଲ୍ଲା କାଳିଆପାଣି ଥାନା କାଳିଆପାଣି ପଞ୍ଚାୟତର ଜଣେ ଆଦିବାସୀ ଦଶମ ଶ୍ରେଣୀ ଛାତ୍ରୀ ଏବେ ୪ ମାସର ଗର୍ଭବତୀ ଥିବା ଅଭିଯୋଗ ହୋଇଛି। ଗର୍ଭଧାରଣ ପରେ ଏହି ଛାତ୍ରୀ ଜଣକ ପାଠଛାଡ଼ି ଘରେ ରହୁଥିଲେ। ପ୍ରେମିକର ପ୍ରତାରଣା ଓ ସାମାଜିକ ଲଜ୍ଜା କାରଣରୁ ପୀଡ଼ିତାଙ୍କ ମାନସିକ ଚାପ ବଢ଼ିବାରେ ଲାଗିଛି। ନିରୁପାୟ ପୀଡ଼ିତାଙ୍କ ବଡ଼ ଭଉଣୀ ଶେଷରେ ଗତକାଲି ଥାନାରେ ଏତଲା ଦାଏର କରିଥିଲେ।ପୀଡ଼ିତା ସ୍କୁଲ ଯାଉଥିବା ସମୟରେ ଗାଁ ପାଖ ବଜାରରେ ଗ୍ୟାରେଜ୍ରେ କାମ କରୁଥିବା ଗୁରୁଜଙ୍ଗ ଗାଁର ଜଣେ ଯୁବକ ଏହି ଛାତ୍ରୀଙ୍କୁ ପ୍ରେମ ଜାଲରେ ଫସାଇଥିଲା। ପୀଡ଼ିତାଙ୍କ ବାପାମାଆ ୬ ମାସ ଧରି ପକ୍ଷାଘାତ ରୋଗରେ ଶଯ୍ୟାଶାୟୀ ଥିବା ସୁଯୋଗରେ ଅଭିଯୁକ୍ତ ଅନୈତିକ ସମ୍ପର୍କ ରଖି ଆସୁଥିଲା। ଅନ୍ତଃସତ୍ତ୍ବା ପରେ ପୀଡ଼ିତା ଓ ପରିବାର ବିବାହ ପାଇଁ ଦାବି କରିଥିଲେ। ରୋଗଶଯ୍ୟାରେ ଥାଇ ପୀଡ଼ିତାଙ୍କ ବାପାମାଆ ନ୍ୟାୟ ପାଇଁ ଗ୍ରାମବାସୀଙ୍କୁ ନେହୁରା ହୋଇଥିଲେ। ଏକାଧିକ ବାର ଗ୍ରାମସଭା ବସିଥିଲେ ବି କୌଣସି ନିଷ୍କର୍ଷ ବାହାରିନଥିଲା। ନିରାଶ ପୀଡ଼ିତା ଗତ ସପ୍ତାହ ପ୍ରେମିକ ଘରକୁ ଯାଇ ଅଧିକାର ମାଗିଥିଲେ। ହେଲେ ପ୍ରେମିକ ଆତ୍ମଗୋପନ କରିଥିଲା। ପ୍ରେମିକର ମାଆ ପୀଡ଼ିତାଙ୍କୁ ଗାଳିଗୁଲଜ କରି ମାରି ଗୋଡ଼ାଇଥିଲେ। ଏବେ ଅଭିଯୁକ୍ତ ପ୍ରେମିକ ଫେରାର୍ ଥିବା ସୂଚନା ମିଳିଛି।
ପୁଣି ଜଣେ ଦଶମ ଛାତ୍ରୀ ଗର୍ଭବତୀ, ପ୍ରେମିକ ଫେରାର
By madhulekha1 Min Read
