ଦେଶର ସବୁଠୁ ବଡ଼ ସାମାଜିକ ସୁରକ୍ଷା ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା। ଏହି ଯୋଜନାରେ ଦେଶର ପ୍ରାୟ ୮୦ କୋଟି ଏବଂ ଓଡ଼ିଶାରେ ୩ କୋଟି ୨୧ ଲକ୍ଷ ୯୩ ହଜାରରୁ ଅଧିକ ହିତାଧିକାରୀ ମାଗଣା ଖାଦ୍ୟଶସ୍ୟ ପାଉଛନ୍ତି।ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନା ପାଇଁ କେନ୍ଦ୍ର ସରକାର ୨.୨୭ ଲକ୍ଷ କୋଟି ଟଙ୍କାରୁ ଅଧିକ ଖାଦ୍ୟ ସବସିଡି ବହନ କରୁଛନ୍ତି। ଓଡ଼ିଶାରେ ୩ କୋଟି ୨୧ ଲକ୍ଷ ୯୩ ହଜାରରୁ ଅଧିକ ଲୋକ ଏହି ଯୋଜନାର ଲାଭ ପାଉଛନ୍ତି। ପ୍ରତ୍ୟେକ ହିତାଧିକାରୀଙ୍କୁ ମାସକୁ ମୁଣ୍ଡପିଛା ୫ କିଲୋଗ୍ରାମ ଖାଦ୍ୟଶସ୍ୟ ଦିଆଯାଉଛି। ଅନ୍ତ୍ୟୋଦୟ ଅନ୍ନ ଯୋଜନାରେ ମଧ୍ୟ ରାଜ୍ୟକୁ ବାର୍ଷିକ ପ୍ରାୟ ୧ ଲକ୍ଷ ୮୭ ହଜାର ମେଟ୍ରିକ୍ ଟନ୍ ଖାଦ୍ୟଶସ୍ୟ ବରାଦ କରାଯାଉଛି।ଏବେ ପ୍ରଶ୍ନ ହେଉଛି, ଅନ୍ୟ ରାଜ୍ୟରେ ହିତାଧିକାରୀମାନେ ଚାଉଳ ନଚେତ ଗହମ ପାଉଛନ୍ତି କିମ୍ବା ଚାଉଳ ଓ ଗହମ ପାଉଛନ୍ତି । କିନ୍ତୁ ଓଡ଼ିଶାରେ ହିତାଧିକାରୀଙ୍କୁ କେବଳ ଚାଉଳ ଦିଆଯାଉଛି ? ଖାଦ୍ୟ ବଣ୍ଟନର ନୀତି ରାଜ୍ୟଭିତ୍ତିକ ଆବଶ୍ୟକତା, ଖାଦ୍ୟାଭ୍ୟାସ, ଉପଲବ୍ଧତା ଓ କେନ୍ଦ୍ର-ରାଜ୍ୟ ସମନ୍ୱୟ ଉପରେ ନିର୍ଭର କରେ। ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ଦିଲ୍ଲୀ, ରାଜସ୍ଥାନ, ବିହାର ସମେତ ଅନେକ ରାଜ୍ୟରେ ଗହମ କିମ୍ବା ଚାଉଳ ଓ ଗହମ ଉଭୟ ବଣ୍ଟନ କରାଯାଉଛି । ଅନ୍ୟପକ୍ଷରେ ଓଡ଼ିଶା, ଛତିଶଗଡ଼, ଆନ୍ଧ୍ର ପ୍ରଦେଶ, ତାମିଲନାଡୁ ପରି ଚାଉଳ ପ୍ରଧାନ ଖାଦ୍ୟାଭ୍ୟାସ ଥିବା ରାଜ୍ୟରେ ମୁଖ୍ୟତଃ ଚାଉଳ ବଣ୍ଟନ ହେଉଛି।ସାଂସଦ ଦିଲ୍ଲୀପ ରାୟଙ୍କ ଯୁକ୍ତି ହେଉଛି, ମଧୁମେହ ଭଳି ସ୍ୱାସ୍ଥ୍ୟ ସମସ୍ୟାରେ ଅନେକ ଲୋକ ଚାଉଳ ପରିବର୍ତ୍ତେ ଗହମ ଖାଇବାକୁ ପସନ୍ଦ କରନ୍ତି। ତେଣୁ ହିତାଧିକାରୀଙ୍କୁ ବିକଳ୍ପ ଦିଆଗଲେ ତାହା ଅଧିକ ଉପଯୋଗୀ ହେବ।ଏହି ଦାବିକୁ ନେଇ କେନ୍ଦ୍ର ସରକାର କିମ୍ବା ଓଡ଼ିଶା ସରକାର ପକ୍ଷରୁ ଚାଉଳ ସହ ଗହମ ବଣ୍ଟନ ଆରମ୍ଭ କରିବା ସମ୍ପର୍କରେ କୌଣସି ଘୋଷଣା ହୋଇନାହିଁ। ତେଣୁ ଏହା ବର୍ତ୍ତମାନ ଏକ ନୀତିଗତ ପ୍ରସ୍ତାବ ଓ ଆଲୋଚନାର ବିଷୟ । ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠିବା ପରେ ଖାଦ୍ୟ ସୁରକ୍ଷା ଯୋଜନାରେ “ପସନ୍ଦର ଅଧିକାର”କୁ ନେଇ ନୂଆ ବିତର୍କ ଆରମ୍ଭ ହୋଇଛି। ସ୍ୱାସ୍ଥ୍ୟ, ପୋଷଣ ଓ ଖାଦ୍ୟାଭ୍ୟାସକୁ ଦୃଷ୍ଟିରେ ରଖି ଭବିଷ୍ୟତରେ ହିତାଧିକାରୀଙ୍କୁ ବିକଳ୍ପ ଦିଆଯିବ କି ନାହିଁ, ତାହା ଆଗାମୀ ନୀତିଗତ ନିଷ୍ପତ୍ତି ଉପରେ ନିର୍ଭର କରିବ।
ମାଗଣା ରାସନ୍ରେ ଓଡ଼ିଶାରେ ଚାଉଳ ସହ କେବେ ମିିଳିବ ଗହମ : ସାଂସଦ ଦିଲ୍ଲୀପ ରାୟ
By madhulekha2 Mins Read
