କ୍ୟାନ୍ସର ଏକ ମାରାତ୍ମକ ଓ ବ୍ୟୟବହୁଳ ଚିକିତ୍ସା ଆବଶ୍ୟକ କରୁଥିବା ରୋଗ। ଏହି ରୋଗର ଫଳପ୍ରଦ ଚିକିତ୍ସା ଖୋଜିବା ଦିଗରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜୈବ ପ୍ରଯୁକ୍ତି ଓ ଜୈବ ସୂଚନା ବିଭାଗ ଏକ ଆଶାର କିରଣ ଦେଖାଇଛି। ବରଗଡ଼ ଜିଲ୍ଲାର ଗନ୍ଧମାର୍ଦ୍ଧନ ପର୍ବତରେ ମିଳୁଥିବା ଦୁର୍ଲଭ ଔଷଧୀୟ ଉଦ୍ଭିଦ ଉପରେ ଗତ ୫ ବର୍ଷ ଧରି ଚାଲିଥିବା ଗବେଷଣାରେ ଏନିମଲଅ ଟ୍ରାଏଲରୁ ଉତ୍ସାହଜନକ ଫଳ ମିଳିଛି। ବର୍ତ୍ତମାନ ୩୫ ଦିନର ଏନିମଲ ଟ୍ରାଏଲ ଉତ୍ସାହଜନକ ସଫଳ ହୋଇଥିବା ବେଳେ ଆହୁରି ୯୦–୯୫ ଦିନର ଗବେଷଣା ବାକି ରହିଛି। ଏହା ସମ୍ପୂର୍ଣ୍ଣ ସଫଳ ହେଲେ କୌଣସି ଏକ CCRAS(Central Council for Research in Ayurvedic Sciences) ସ୍ୱୀକୃତିପ୍ରାପ୍ତ ହସ୍ପିଟାଲ ସହ MOU ସ୍ୱାକ୍ଷର କରି ହ୍ୟୁମାନ୍ ଟ୍ରାଏଲ ଆରମ୍ଭ କରାଯିବ।ଗନ୍ଧମାର୍ଦ୍ଧନ ପର୍ବତ ଅଞ୍ଚଳରେ ବସବାସ କରୁଥିବା ପାରମ୍ପରିକ ବୈଦ୍ୟମାନେ ଆୟୁର୍ବେଦିକ ପଦ୍ଧତିରେ କ୍ୟାନ୍ସର ଚିକିତ୍ସା କରୁଥିବା ଦାବି କରୁଥିବାରୁ ସେମାନଙ୍କ ସହଯୋଗରେ ଗବେଷଣା ଆରମ୍ଭ ହୋଇଥିଲା। ପ୍ରଥମେ ୫୦ଟି ଔଷଧୀୟ ବୃକ୍ଷ ଚିହ୍ନଟ କରାଯାଇଥିଲା। ଦୀର୍ଘ ଗବେଷଣା ପରେ ସେଥିରୁ ୫ଟି ବୃକ୍ଷରେ କ୍ୟାନ୍ସର ବିରୋଧୀ କ୍ରିୟାଶୀଳତା ଥିବା ଜଣାପଡ଼ିଛି। ଏହାପରେ ସେହି ଉଦ୍ଭିଦଗୁଡ଼ିକର ନିର୍ଯାସକୁ ନେଇ ମୂଷା ଉପରେ ଏନିମଲ୍ ଟ୍ରାଏଲ ଆରମ୍ଭ କରାଯାଇଛି।ଯଦିଓ ଏହି ଗବେଷଣା ସମସ୍ତ ପ୍ରକାର କ୍ୟାନ୍ସର ପାଇଁ ଉଦ୍ଦିଷ୍ଟ, ତଥାପି ପ୍ରଥମ ପର୍ଯ୍ୟାୟରେ ବ୍ରେଷ୍ଟ କ୍ୟାନ୍ସରକୁ ପ୍ରାଥମିକତା ଦିଆଯାଇଛି। ଏହି ଔଷଧୀୟ ଫର୍ମୁଲେସନ ପାଇଁ ପେଟେଣ୍ଟ ଆବେଦନ ମଧ୍ୟ କରାଯାଇଛି।ପ୍ରଫେସର ନାଏକଙ୍କ କହିବା ଅନୁଯାୟୀ, ଏନିମଲ ଟ୍ରାଏଲରେ Acute, Sub-acute, Chronic ଓ Sub-chronic; ଏଭଳି ୪ଟି ପର୍ଯ୍ୟାୟ ରହିଛି। ବର୍ତ୍ତମାନ Acute ଓ Sub-acute ପର୍ଯ୍ୟାୟ ସମାପ୍ତ ହୋଇଛି।
