ବଲିଉଡ୍ ଅଭିନେତ୍ରୀ ନୋରା ଫତେହିଙ୍କ ପାଇଁ ବଢ଼ିପାରେ ଅଡୁଆ। ୨୦୦ କୋଟି ଟଙ୍କାର ବହୁଚର୍ଚ୍ଚିତ ଠକେଇ ଓ ବଟି ଆଦାୟ ମାମଲାରେ ନୋରା ଫତେହିଙ୍କୁ ସମନ ଜାରି କରିଛନ୍ତି ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ। ଆସନ୍ତା ନଭେମ୍ବର ୨ ତାରିଖରେ କୋର୍ଟରେ ହାଜର ହୋଇ ନିଜର ବୟାନ ରେକର୍ଡ କରାଇବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ନୋରାଙ୍କୁ ଅଭିଯୁକ୍ତ ନୁହେଁ, ବରଂ ଅଭିଯୋଗକାରୀ ପକ୍ଷର ସାକ୍ଷୀ ଭାବରେ ଡକାଯାଇଛି। ତୃତୀୟ ଅତିରିକ୍ତ ଚାର୍ଜସିଟ୍ରେ ତାଙ୍କ ନାମ ତୃତୀୟ ସାକ୍ଷୀ ଭାବରେ ଉଲ୍ଲେଖ ରହିଛି। ଏହି ମାମଲାରେ ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡେଜଙ୍କ ନାମ ମଧ୍ୟ ପୂର୍ବରୁ ସାମ୍ନାକୁ ଆସିଥିଲା। ପୋଲିସ ଚାର୍ଜସିଟ୍ ଅନୁଯାୟୀ, ତଦନ୍ତ ସମୟରେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଏବଂ ନୋରା ଫତେହିଙ୍କ ସମେତ ଅନେକ ବ୍ୟକ୍ତିଙ୍କ ବୟାନ ରେକର୍ଡ କରାଯାଇଥିଲା। ବର୍ତ୍ତମାନ ସରକାରୀ ଓକିଲ କୋର୍ଟରେ ଏହାର ପ୍ରମାଣ ଏବଂ ସାକ୍ଷୀମାନଙ୍କୁ ଉପସ୍ଥାପନ କରୁଛନ୍ତି। ନୋରାଙ୍କ ସାକ୍ଷ୍ୟ ଏହି ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗ ହୋଇପାରେ।
