ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ପୁଣି ବଡ଼ ପରଦାକୁ ଫେରୁଛନ୍ତି। ମ୍ୟାଡକ ଫିଲ୍ମସ ଏବଂ କଠପୁତଲି କ୍ରିଏସନ୍ସର ଆଗାମୀ ଫିଲ୍ମ ‘ଇଠା’ରେ ସେ ଏକ ଭିନ୍ନ ତଥା ଚ୍ୟାଲେଞ୍ଜିଂ ଚରିତ୍ରରେ ନଜର ଆସିବେ। ତେବେ ଫିଲ୍ମ ଇଠାର ଟ୍ରେଲର ରିଲିଜ୍ ହୋଇଛି । ମହାରାଷ୍ଟ୍ରର ପ୍ରସିଦ୍ଧ ତମାଶା ଓ ଲାବଣୀ କଳାକାର ବିଠାବାଇ ଭାଉ ମାଙ୍ଗ ନାରାୟଣଗାଓଁକରଙ୍କ ଜୀବନୀ ଉପରେ ଏହି ଫିଲ୍ମ ଆଧାରିତ ।
ଟ୍ରେଲରରେ ଶ୍ରଦ୍ଧାଙ୍କୁ ବିଠାବାଇଙ୍କ ଚରିତ୍ରରେ ଦେଖିବାକୁ ମିଳିଛି । ପାରମ୍ପରିକ ପୋଷାକ, ଲାବଣୀ ଡ୍ୟାନ୍ସ, ସଙ୍ଗୀତ ଓ ରଙ୍ଗିନ ମଞ୍ଚର ଦୃଶ୍ୟ ଫିଲ୍ମ ପ୍ରତି ଦର୍ଶକଙ୍କ ଉତ୍ସୁକତା ବଢ଼ାଇଛି । ଜଣେ ମହିଳା କଳାକାର ଭାବେ ବିଠାବାଇଙ୍କ ସଂଘର୍ଷ ଏବଂ ଲୋକକଳା ଜଗତରେ ନିଜର ପରିଚୟ ସୃଷ୍ଟି କରିବାର ଯାତ୍ରାକୁ ଏଥିରେ ଦେଖିବାକୁ ମିଳିବ ।‘ସ୍ତ୍ରୀ ୨’ରେ ଦର୍ଶକଙ୍କୁ ମନୋରଞ୍ଜନର ଭରପୂର ଖୋରାକ ଦେଇଥିବା ଶ୍ରଦ୍ଧା ଏଥର ଏକ ଗମ୍ଭୀର ଓ ଆହ୍ବାନପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି। ଟ୍ରେଲରରେ ଶ୍ରଦ୍ଧାଙ୍କ ଏକ ସଂଳାପ, ‘ଏହା କେବଳ କପଡ଼ା ନୁହେଁ, ଅଭିମାନ’ ବେଶ ଚର୍ଚ୍ଚା ସାଉଁଟୁଛି। ନୱାରୀ ଶାଢ଼ିକୁ ନେଇ ଏହି କଥା ବିଠାବାଇଙ୍କ ପରମ୍ପରା, ପରିଚୟ ଓ ଆତ୍ମସମ୍ମାନକୁ ପ୍ରତିଫଳିତ କରୁଛି। ଫିଲ୍ମରେ ରଣଦୀପ ହୁଡ୍ଡା ବିଠାବାଇଙ୍କ ସ୍ବାମୀ ମର୍ଚ୍ଚାଣ୍ଟଙ୍କ ଚରିତ୍ରରେ ଅଭିନୟ କରିଛନ୍ତି।ଏହି ଫିଲ୍ମଟି ସିନେମାଘରରେ ୪ ଡିସେମ୍ବର ୨୦୨୬ରେ ରିଲିଜ ହେବ। ଶ୍ରଦ୍ଧା କପୁର ଓ ରଣଦୀପ ହୁଡ୍ଡାଙ୍କ ବ୍ୟତୀତ ଫିଲ୍ମରେ ମହମ୍ମଦ ଜିଶାନ ଆୟୁବ, ଅନନ୍ତ ଜୋଶୀ, ସିଦ୍ଧାର୍ଥ ଯାଧବ, ଅକ୍ଷରା ସିଂହ ଏବଂ ଉଲ୍କା ଗୁପ୍ତା ପ୍ରମୁଖ ଅଭିନୟ କରିଛନ୍ତି। ଟ୍ରେଲର ରିଲିଜ ପରେ ଏବେ ଦର୍ଶକଙ୍କ ନଜର ଫିଲ୍ମର ରିଲିଜ ଉପରେ ରହିଛି।
