ବଲିଉଡ୍ ଅଭିନେତ୍ରୀ କରୀନା କପୁର ଖାନ୍ ଏବେ ତାଙ୍କ ଅପକମିଂ ଫିଲ୍ମ ଦାୟରାକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏହି ଫିଲ୍ମରେ କରୀନା ଜଣେ ପୋଲିସ ଅଧିକାରୀଙ୍କ ଭୂମିକାରେ ନଜର ଆସିବେ । ନିକଟରେ ଫିଲ୍ମର ଟ୍ରେଲର ରିଲିଜ୍ ହୋଇଥିବା ବେଳେ ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି । ଫିଲ୍ମର ଟ୍ରେଲର ଦମଦାର ରହିଛି । ଏଥିରେ କରୀନାଙ୍କ ଲୁକକୁ ଫ୍ୟାନ୍ସ ପସନ୍ଦ କରୁଛନ୍ତି । ଏବେ ଫିଲ୍ମର ରିଲିଜକୁ ଅପେକ୍ଷା କରିଛନ୍ତି ଫ୍ୟାନ୍ସ ।ବୁଧବାର ଫିଲ୍ମର ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେଇ କରିନା ତାଙ୍କ ଚରିତ୍ର ‘ଡିସିପି ଅଜୋନି’ ବିଷୟରେ କହିଥିଲେ। ତାଙ୍କ କହିବାନୁସାରେ, ସାଧାରଣତଃ ମହିଳା ପୋଲିସ୍ ଅଧିକାରୀଙ୍କୁ ଚଳଚ୍ଚିତ୍ରରେ ଏକ ନିର୍ଦ୍ଦିଷ୍ଟ ଢାଞ୍ଚାରେ ଦେଖାଯାଏ। କିନ୍ତୁ ‘ଦାୟରା’ରେ ଅଜୋନି ଚରିତ୍ରକୁ ସେହି ପାରମ୍ପରିକ ଧାରାଠାରୁ ଅଲଗା ଭାବେ ପ୍ରସ୍ତୁତ କରାଯାଇଛି।
କରିନା କହିଛନ୍ତି, ଜଣେ ପୋଲିସ୍ ଅଧିକାରୀ କିପରି ଦେଖାଯିବା ଉଚିତ୍, ଏନେଇ ଦର୍ଶକଙ୍କ ମନରେ ଏକ ପୂର୍ବଧାରଣା ରହିଥାଏ। ବିଶେଷକରି ମହିଳା ପୋଲିସ୍ ଅଧିକାରୀଙ୍କୁ ଅନେକ ସମୟରେ ପୁରୁଷୋଚିତ ଢଙ୍ଗରେ ଚିତ୍ରଣ କରାଯାଏ-ଦୃଢ଼ ଭାବଭଙ୍ଗୀ, ଏକ ବିଶେଷ ଚାଲିବା ଶୈଳୀ କିମ୍ବା ଆକ୍ସନ୍ ଦୃଶ୍ୟରେ ବନ୍ଧୁକ ଧରିଥିବା ଭଳି। ତେବେ ମେଘନା ଗୁଲଜାର ଅଜୋନି ଚରିତ୍ରକୁ ଏହି ଧାରଣାଠାରୁ ଦୂରେ ରଖିଛନ୍ତି। ତାଙ୍କ ଚରିତ୍ର ଜଣେ ସାଧାରଣ ମହିଳାଙ୍କ ପରି-ନାରୀସୁଲଭ, ନିଜ ଲୁକ୍କୁ ନେଇ ସଚେତନ, ଲିପଷ୍ଟିକ୍ ଲଗାଉଥିବା, ହସମୁଖ ହେଲେ ମଧ୍ୟ ଭିତରୁ ଅତ୍ୟନ୍ତ ଦୃଢ଼। ଅର୍ଥାତ୍, ଜଣେ ମହିଳାଙ୍କ ନାରୀତ୍ୱ ତାଙ୍କ ଦୃଢ଼ତାର ବିପରୀତ ନୁହେଁ-ଚରିତ୍ରଟି ଏହି ଦିଗକୁ ଗୁରୁତ୍ୱ ଦେଇଥାଏ।କରୀନା ଆହୁରି କହିଛନ୍ତି, ଅଜୋନିଙ୍କ ଚରିତ୍ରକୁ ଠିକ୍ ଭାବରେ ପରଦାରେ ଉପସ୍ଥାପନ କରିବା ତାଙ୍କ ପାଇଁ ସହଜ ନଥିଲା । ଚରିତ୍ର ଭିତରେ ସବୁବେଳେ ଏକ ପ୍ରକାରର ଦ୍ୱନ୍ଦ୍ୱ ରହିଛି । ତେବେ ଏବେ କରୀନା କ୍ୟାମେରା ପଛକୁ ଯାଇ ପ୍ରଡକ୍ସନ୍ କିମ୍ବା ଡାଇରେକ୍ସନ୍ କରିବାକୁ ଚାହୁଁନାହାନ୍ତି । ତାଙ୍କର ଧ୍ୟାନ କେବଳ ଅଭିନୟ ଉପରେ ରହିଛି ।
