ରାଉରକେଲା ସର୍କିଟ୍ ହାଉସରେ ‘ଆଡଲ୍ଟ ଷ୍ଟାର୍’ଙ୍କ ରହଣିକୁ ନେଇ ବିବାଦ । ପୁରୁଣା ଭିଡିଓ ଭାଇରାଲ୍ ପରେ ପୋଲିସର ଖୋଳତାଡ଼; କିଏ କରିଥିଲା ବୁକିଂ, କାହା ସୁପାରିସରେ ମିଳିଥିଲା ରୁମ୍? । ଉଦଘାଟନକୁ ବର୍ଷେ ବି ପୂରିନି, ହେଲେ ବିବାଦ ପିଛା ଛାଡ଼ୁନି ରାଉରକେଲାର ପାନପୋଷ ସର୍କିଟ୍ ହାଉସର ।ପୋଲିସ ସୂତ୍ର ଅନୁସାରେ, ଏହି ଘଟଣାରେ ୩ ଜଣଙ୍କୁ ପଚରାଉଚରା କରାଯାଇଛି । ସେମାନଙ୍କ ମଧ୍ୟରେ ଜଣେ ଅବସରପ୍ରାପ୍ତ SP ପାହ୍ୟାର ପୋଲିସ ଅଧିକାରୀଙ୍କ ପୁଅ ଥିବା କୁହାଯାଇଛି । ଅଭିନେତ୍ରୀଙ୍କ ପାଇଁ ରହଣି ବ୍ୟବସ୍ଥା ସହ ସେମାନଙ୍କ ସମ୍ପର୍କକୁ ନେଇ ପଚରାଉଚରା ପରେ ସମସ୍ତଙ୍କୁ ଛାଡ଼ି ଦିଆଯାଇଛି । ପ୍ରାୟ ୫ ମିନିଟ୍ ର ଭିଡିଓରେ ଅଭିନେତ୍ରୀ ଝାରସୁଗୁଡ଼ା ବିମାନବନ୍ଦରରୁ ରାଉରକେଲା ସର୍କିଟ୍ ହାଉସ୍ ପର୍ଯ୍ୟନ୍ତ ନିଜ ଯାତ୍ରା ବିଷୟରେ କହୁଥିବା ଦେଖାଯାଉଛି । ତାଙ୍କୁ ନେବା ପାଇଁ ଏକ କମ୍ପାନୀର ମାଲିକ/CEO ନିଜେ Audi କାର୍ ରେ ଆସୁଥିବା କଥା ମଧ୍ୟ ସେ ଭିଡିଓରେ କହିଛନ୍ତି । ତେବେ ସେ କାହାକୁ ଉଦ୍ଦେଶ୍ୟ କରି ଏହା କହିଥିଲେ, ତାଙ୍କ ନାମ ସ୍ପଷ୍ଟ କରିନଥିଲେ। ଏବେ ପୋଲିସ ପାନପୋଷ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ବିସ୍ତୃତ ତଥ୍ୟ ମାଗିଛି । ସର୍କିଟ୍ ହାଉସ୍ ରେ ରୁମ୍ ବୁକିଂ ପାଇଁ କ’ଣ ନିୟମ ଓ ପ୍ରୋଟୋକଲ୍ ରହିଛି, ଗତ କିଛି ମାସରେ କେଉଁମାନେ ସେଠାରେ ରହିଛନ୍ତି ଏବଂ ସମ୍ପୃକ୍ତ ଦିନର ବୁକିଂ କିପରି ହୋଇଥିଲା, ଏସବୁର ରେକର୍ଡ ତଦନ୍ତ ପରିସରକୁ ଆସିଛି ।
