ରାଜଧାନୀରେ ବିଶୃଙ୍ଖଳା ସୃଷ୍ଟି କରିବା, ପୁଲିସକୁ ଆକ୍ରମଣ କରିବା ଓ ସରକାରୀ ସମ୍ପତ୍ତି ଭଙ୍ଗାରୁଜା ଘଟଣାରେ ସାମିଲ ଗାଡ଼ି ମାଲିକଙ୍କ ବିରୋଧରେ କଡ଼ା ହେବ ପରିବହନ ବିଭାଗ । ସୂଚନାଥାଉକି, ବୁଧବାର ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଠାରେ ଅନଲାଇନ ଡ୍ରାଇଭରମାନଙ୍କ ଆନ୍ଦୋଳନ ଯୋଗୁ ସାଧାରଣ ଯାତାୟାତରେ ଗୁରୁତର ବ୍ୟାଘାତ ସୃଷ୍ଟି ହୋଇଥିଲା। ଏହି ସମୟରେ କ୍ରୁଟ୍ (CRUT) / ଆମ ବସ୍ ସମେତ ଅନେକ ସରକାରୀ ସମ୍ପତ୍ତି ଭଙ୍ଗାରୁଜା ଓ ନଷ୍ଟ କରାଯାଇଥିବା ଅଭିଯୋଗ ମଧ୍ୟ ହୋଇଛି। ପୋଲିସ ରେକର୍ଡ, ସିସିଟିଭି ଫୁଟେଜ୍ ଏବଂ ଜବତ ତାଲିକାର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ରାସ୍ତା ଅବରୋଧ କରିବା ପାଇଁ ୪୦୦ ରୁ ଅଧିକ ଅଟୋରିକ୍ସା ବ୍ୟବହାର କରାଯାଇଥିଲା ଏବଂ ପୋଲିସ ପ୍ରଶାସନ ଦ୍ୱାରା ଉକ୍ତ ଗାଡ଼ିଗୁଡ଼ିକୁ ଚିହ୍ନଟ କରାଯାଇ ଜବତ କରାଯାଇଛି।କେବଳ ପରମିଟ୍ ବାତିଲ ନୁହେଁ, ସମ୍ପୃକ୍ତ ଗାଡ଼ିଗୁଡ଼ିକର RC ମଧ୍ୟ ରଦ୍ଦ କରିବାକୁ ପଦକ୍ଷେପ ନେବ ପରିବହନ ବିଭାଗ । ଏହାସହ ଆଗାମୀ ଦିନରେ ଯେପରି ଏହି ଗାଡ଼ିଗୁଡ଼ିକ ଓଡ଼ିଶାର କୌଣସି ସ୍ଥାନରେ ଚଳାଚଳ କରିନପାରନ୍ତି, ସେନେଇ ମଧ୍ୟ ବ୍ୟବସ୍ଥା କରାଯିବ । ବିଶୃଙ୍ଖଳାରେ ସାମିଲ ଥିବା ଗାଡ଼ିଗୁଡ଼ିକୁ ଚିହ୍ନଟ କରି ପରମିଟ୍ ବାତିଲ ପାଇଁ ପରିବହନ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି ।
