ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଖବର ଆସିଛି।ଜେଲରେ ବନ୍ଦୀ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇର ସଂସ୍ଥାପକ ଇମ୍ରାନ ଖାନଙ୍କୁ ସୁପ୍ରିମ କୋର୍ଟ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ଓ ଦୃଷ୍ଟିଶକ୍ତି ହ୍ରାସ ଜନିତ ସମସ୍ୟାକୁ ଦୃଷ୍ଟିରେ ରଖି , ତୁରନ୍ତ ତାଙ୍କୁ ପ୍ରାଇଭେଟ୍ ହସ୍ପିଟାଲରେ ସିଫ୍ଟ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ଦ୍ୱାରା ତାଙ୍କ ଦଳ ‘ ପାକିସ୍ତାନ ତେହେରିକ୍-ଏ-ଇନସାଫ୍’ (ପିଟିଆଇ) ଏବଂ ତାଙ୍କ ପରିବାର ଲୋକଙ୍କ ସେହି ଦାବି ପୂରଣ ହୋଇଛି, ଯାହା ପାଇଁ ସେମାନେ ଗତ କିଛି ମାସ ହେବ ଆଇନଗତ ଓ ରାଜନୈତିକ ଲଢ଼େଇ ଲଢ଼ୁ ଥିଲେ। ତେବେ ୧୬ ସେପ୍ଟେମ୍ବର ପର୍ଯ୍ୟନ୍ତ ସେ ସେଠାରେ ରହିବ। କୋର୍ଟ ଇମ୍ରାନ ଖାନ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ସାପ୍ତାହିକ ବୈଠକ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଆଦେଶରେ କୁହାଯାଇଛି ଯେ ଇମ୍ରାନଙ୍କ ସ୍ୱାସ୍ଥ୍ୟାବସ୍ଥା ମୂଲ୍ୟାଙ୍କନ ପାଇଁ ଏକ ମେଡିକାଲ ବୋର୍ଡ ଗଠନ କରାଯିବ, ଯେଉଁଥିରେ ଇମ୍ରାନଙ୍କ ବ୍ୟକ୍ତିଗତ ଡାକ୍ତର ଏବଂ ତାଙ୍କ ଭଉଣୀ ଡାକ୍ତର ଉଜମା ଖାନ ରହିବେ।କୋର୍ଟ ଇମ୍ରାନ ଖାନଙ୍କ ଆଇନଜୀବୀ ଏବଂ ତାଙ୍କ ପରିବାରକୁ ମେଡିକାଲ ରିପୋର୍ଟ ଗଣମାଧ୍ୟମ ସହିତ ସେୟାର ନକରିବାକୁ କିମ୍ବା ଏହି ପ୍ରସଙ୍ଗକୁ ରାଜନୀତିକରଣ ନକରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।
