ତାମିଲନାଡୁ ବିଧାନସଭାରେ ଦିବଂଗତ ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍. କରୁଣାନିଧିଙ୍କ ନାଁ ସମ୍ବୋଧନକୁ ନେଇ ବିବାଦ ଦେଖାଦେଇଛି। ବିଧାନସଭାରେ ଆଲୋଚନା ସମୟରେ ଜଣେ ମନ୍ତ୍ରୀ କରୁଣାନିଧିଙ୍କୁ କେବଳ ତାଙ୍କ ନାମରେ ସମ୍ବୋଧିତ କରିଥିବାରୁ ବିରୋଧୀ ଡିଏମକେ ବିଧାୟକମାନେ ଆପତ୍ତି ଉଠାଇଥିଲେ। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବା ପରେ ମୁଖ୍ୟମନ୍ତ୍ରୀ ସି ଜୋସେଫ ବିଜୟ ମନ୍ତ୍ରୀଙ୍କ ପକ୍ଷରୁ କ୍ଷମା ପ୍ରାର୍ଥନା କରିଥିଲେ।ବିଧାନସଭାରେ ସେହିଦିନ ସ୍ୱାସ୍ଥ୍ୟ ଏବଂ ରାଜସ୍ୱ ବିଭାଗର ଅନୁଦାନ ଦାବି ଉପରେ ଆଲେଚନା ଚାଲିଥିଲା । ଏହି ସମୟରେ ବନମନ୍ତ୍ରୀ ରଞ୍ଜିତ କୁମାର ପୁରୁଣା ନିର୍ବାଚନରେ ଭୋଟ୍ ବଦଳରେ ଟଙ୍କା ବାଣ୍ଟିବାର ପରମ୍ପରା ଉପରେ ନିଜର ମତ ରଖୁଥିଲେ । ସେ ସେହି ସମୟରେ ବିବାଦୀୟ ‘ଥିରୁମଙ୍ଗଲମ ଫର୍ମୁଲା’ର ମଧ୍ୟ ଉଲ୍ଲେଖ କରିଥିଲେ ଏବଂ ଦାବି କରିଥିଲେ ଯେ ତାଙ୍କ କାଞ୍ଚିପୁରମ ଅଞ୍ଚଳରେ ପୂର୍ବ ନିର୍ବାଚନ ସମୟରେ ଗୋଟିଏ ଭୋଟ୍ ପାଇଁ ୧,୫୦୦ ଟଙ୍କା ପର୍ଯ୍ୟନ୍ତ ବଣ୍ଟା ଯାଇଥିଲା । ଏହି ସମୟରେ ମନ୍ତ୍ରୀ ବର୍ତ୍ତମାନର ସରକାର ଏବଂ ପୂର୍ବତନ ନିର୍ବାଚନୀ ପଦ୍ଧତି ମଧ୍ୟରେ ପାର୍ଥକ୍ୟ ବୁଝାଉଥିଲେ । ସେତେବେଳେ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମକେର ବରିଷ୍ଠ ନେତା ଏମ. କରୁଣାନିଧିଙ୍କ ପ୍ରସଙ୍ଗ ଟାଣିଥିଲେ, କିନ୍ତୁ ତାଙ୍କ ନାମ ଆଗରେ କୌଣସି ପାରମ୍ପରିକ ସମ୍ମାନସୂଚକ ଶବ୍ଦ ବ୍ୟବହାର କରିନଥିଲେ ।ଏହାକୁ ନେଇ ଡିଏମକେ ବିଧାୟକମାନେ ତୀବ୍ର ପ୍ରତିବାଦ କରିଥିଲେ। କରୁଣାନିଧି ତାମିଲନାଡୁର ଜଣେ ବରିଷ୍ଠ ରାଜନୈତିକ ନେତା ଏବଂ ଡିଏମକେର ପ୍ରତିଷ୍ଠିତ ନେତା ହୋଇଥିବାରୁ ତାଙ୍କୁ ବିଧାନସଭାରେ ସମ୍ମାନର ସହ ସମ୍ବୋଧିତ କରିବା ଉଚିତ ବୋଲି ଡିଏମକେ ସଦସ୍ୟମାନେ ଦାବି କରିଥିଲେ।ବିବାଦ ବଢ଼ିବା ପରେ ମୁଖ୍ୟମନ୍ତ୍ରୀ ବିଜୟ ହସ୍ତକ୍ଷେପ କରିଥିଲେ। ସେ ମନ୍ତ୍ରୀଙ୍କ ପକ୍ଷରୁ କ୍ଷମା ମାଗିବା ସହ ଏପରି ସମ୍ବୋଧିତ କରିବା ଉଦ୍ଦେଶ୍ୟମୂଳକ ନଥିବା ସ୍ପଷ୍ଟ କରିଥିଲେ।
