ବନ୍ୟା କ୍ଷୟକ୍ଷତି ସମୀକ୍ଷା ପରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି । ବିପର୍ଯ୍ୟୟ ମୁକାବିଲା ଲାଗି ହଜାରେ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ |କ୍ଷୁଦ୍ର ଚାଷୀଙ୍କୁ ହେକ୍ଟର ପିଛା ୮୫୦୦ ଟଙ୍କା, ଅଣସେଚିତ ଜମି ପାଇଁ ହେକ୍ଟର ପିଛା ୮୫୦୦ ଟଙ୍କା, ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୭ ହଜାର ଟଙ୍କା ମିଳିବ। ସେହିପରି ବାରମାସୀ ଫସଲ ପାଇଁ ହେକ୍ଟର ପିଛା ୨୨, ୫୦୦ ଟଙ୍କା ମିଳିବ।ବନ୍ୟା କ୍ଷୟକ୍ଷତି ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀ କରି ସଂପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛନ୍ତି । ଲଗାତାର ବନ୍ୟା କାରଣରୁ ବିଭିନ୍ନ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଯାଜପୁରର ୧୦ ବ୍ଲକର ୨୭୦ ଗାଁ ଜଳମଗ୍ନ ହୋଇଥିବା ବେଳେ ୨ଲକ୍ଷ ୮୦ହଜାର ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ଜିଲ୍ଲାରେ ୨୦୩ଟି ରିଲିଫ୍ ସେଣ୍ଟର ଖୋଲାଯାଇଛି । ଭଦ୍ରକ ଜିଲ୍ଲାର ୪ ବ୍ଲକର ୧୪୯ ଗାଁ ବନ୍ୟା ପ୍ରଭାବିତ ହୋଇଛି । ଯାହା ଫଳରେ ଭଦ୍ରକରେ ବି ୨ଲକ୍ଷ ୫୯ହଜାର ଲୋକେ ପାଣି ଘେରରେ ରହିଛନ୍ତି ।
ସେପଟେ ବାଲେଶ୍ବର, କେନ୍ଦୁଝର, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ାରେ ବି ବନ୍ୟା ସ୍ଥିତି ରହିଛି । କହିବାକୁ ଗଲେ ଉତ୍ତର ଓଡ଼ିଶାର ୬ ଜିଲ୍ଲାରେ ୭୪ ବ୍ଲକ ବନ୍ୟାରେ ପ୍ରଭାବିତ ହୋଇଛି । ସେହିପରି ବନ୍ୟା ପରବର୍ତ୍ତୀ ରୋଗ ପୋକ ଜନିତ କ୍ଷତିଗ୍ରସ୍ତ ପାଇଁ ୭୫% ସବସିଡି ମିଳିବ। କ୍ଷତିଗ୍ରସ୍ତ ଉଠା ଜଳସେଚନ ଯୁଦ୍ଧକାଳୀନ ଭିତ୍ତିରେ ମରାମତି ହେବ। ପ୍ରାଣୀ ସମ୍ପଦ କ୍ଷତିପୂରଣ ପାଇଁ ସହାୟତା ମିଳିବ। ପୋଖରୀ, ଡଙ୍ଗା ଓ ଜାଲ ନଷ୍ଟ ହୋଇଥିଲେ ମିଳିବ ଆର୍ଥିକ ସହାୟତା। ଇଚ୍ଛୁକ ଚାଷୀଙ୍କ ସ୍ବଳ୍ପ ମିଆଦି ଖରିଫ ଋଣକୁ ମଧ୍ୟମ କୃଷି ଋଣରେ ପରିବର୍ତ୍ତନ ହେବ। ଏହା ସହିତ ହସ୍ତଶିଳ୍ପ କ୍ଷତିଗ୍ରସ୍ତ ପାଇଁ ୫ହଜାର ଆର୍ଥିକ ସହାୟତା ମିଳିବ ।ବାସନକୁସନ ଓ ପୋଷାକ ବାବଦକୁ ଅର୍ଥ ଯୋଗାଇ ଦେବେ ସରକାର। ରନ୍ଧା ଓ ଶୁଖିଲା ଖାଦ୍ୟ ସହ ରିଲିଫ ଚାଉଳ ଯୋଗାଣ ଜାରି ରହିବ। ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ପ୍ୟାକେଜ ଅର୍ଥ ବଢ଼ିବ।
