ମାତ୍ର ୧୬ ବର୍ଷ ବୟସରେ ପେସାଦାର ଆକାଉଣ୍ଟିଂ ଯୋଗ୍ୟତା ହାସଲ କରି ଚର୍ଚ୍ଚାରେ ଲକ୍ଷ୍ମଣନ ମେୟ୍ୟାପ୍ପନ। ଗିନିଜ୍ ୱାର୍ଲ୍ଡ ରେକର୍ଡସ୍ ତାଙ୍କୁ ବିଶ୍ୱର ସବୁଠୁ କମ୍ ବୟସର ପୁରୁଷ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଭାବେ ସ୍ୱୀକୃତି ଦେଇଛି। ଦୁବାଇରେ ସେ ମାତ୍ର ୧୬ ବର୍ଷ ୧୪୧ ଦିନ ବୟସରେ ଏହି ରେକର୍ଡ କରିଛନ୍ତି।କୋଭିଡ୍-୧୯ ମହାମାରୀ ସମୟରେ, ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଶେଷ ହେବା ମାତ୍ରେ ତାଙ୍କର ଅର୍ଥଶାସ୍ତ୍ର ଓ ଆକାଉଣ୍ଟିଂ ପ୍ରତି ଆଗ୍ରହ ସୃଷ୍ଟି ହୋଇଥିଲା। ୧୫ ବର୍ଷ ବୟସରେ ସେ ACCA (ଆସୋସିଏସନ୍ ଅଫ୍ ସର୍ଟିଫାଇଡ୍ କୋର୍ପୋରେଟ୍ ଆକାଉଣ୍ଟାଣ୍ଟସ୍) ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ଏବଂ ପ୍ରାୟ ବର୍ଷକ ମଧ୍ୟରେ ଏହାକୁ ସଫଳତାର ସହ ଉତ୍ତୀର୍ଣ୍ଣ କରିଥିଲେ।
ଏହି ସଫଳତା ପରେ ମଧ୍ୟ ମେୟାପ୍ପନ୍ ନିଜର ଶିକ୍ଷାଗତ ଏବଂ ବ୍ୟାବସାୟିକ ଦକ୍ଷତା ବୃଦ୍ଧି କରିବା ଜାରି ରଖିଛନ୍ତି। ସେ CFA (ଚାର୍ଟାର୍ଡ ଫାଇନାନ୍ସିଆଲ୍ ଆନାଲିଷ୍ଟ) ଯୋଗ୍ୟତା ହାସଲ କରିବା ସହ ବର୍ତ୍ତମାନ ଫାଇନାନ୍ସରେ MSc କରୁଛନ୍ତି। ଏହା ସହିତ ସେ ଦୁବାଇର ‘ସେଞ୍ଚୁରୀ ଫାଇନାନ୍ସିଆଲ୍’ରେ ବରିଷ୍ଠ ଗବେଷଣା ବିଶ୍ଲେଷକ ଭାବରେ କାର୍ଯ୍ୟରତ । ସେଠାରେ ସେ ନିବେଶ, ବଜାର ଗବେଷଣା ଏବଂ ଆର୍ଥିକ ନିଷ୍ପତ୍ତି ନେବା ପରି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଉଛନ୍ତି।ତେବେ ଲକ୍ଷ୍ମଣନ କହିଛନ୍ତି, ଏହି ରେକର୍ଡ ତାଙ୍କ ପାଇଁ ଖୁବ ମହତ୍ତ୍ୱପୂର୍ଣ୍ଣ, କିନ୍ତୁ ସେ କେବେ ବି ଯୋଗ୍ୟତା ହାସଲକୁ ପ୍ରତିଯୋଗିତା ଭାବେ ନେଇନାହାନ୍ତି। ତାଙ୍କ ମତରେ, ଶୀଘ୍ର ନୁହେଁ, ଉତ୍ସୁକତାର ସହ ଶିଖିବା ହିଁ ଅଧିକ ମୂଲ୍ୟବାନ। ପଢ଼ା ଓ ଫାଇନାନ୍ସ ବାହାରେ ଘଣ୍ଟା ଡିଜାଇନ୍ ଓ ତିଆରି କରିବାରେ ମଧ୍ୟ ତାଙ୍କର ରୁଚି ରହିଛି।
