ରାମମନ୍ଦିର ଆନ୍ଦୋଳନର ପ୍ରମୁଖ ସୂତ୍ରଧର ତଥା ଅଯୋଧ୍ୟାର ପୂର୍ବତନ ଲୋକସଭା ସାଂସଦ ତଥା ସନ୍ଥ ଡା. ରାମବିଳାସ ଦାସ ବେଦାନ୍ତିଙ୍କ ସୋମବାର ପରଲୋକ ହୋଇଛି । ରାମବିଳାସ ବେଦାନ୍ତୀ ରେୱା ଗସ୍ତରେ ଥିଲେ। ଏହି ଗସ୍ତ ସମୟରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ି ଯାଇଥିଲା ଏବଂ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ସମୟରେ ସୋମବାର ଅପରାହ୍ନରେ ତାଙ୍କର ଦେହାନ୍ତ ହୋଇଛି।
ତାଙ୍କ ପରଲୋକରେ ଅଯୋଧ୍ୟା ସମେତ ସମଗ୍ର ଦେଶରେ ସନ୍ଥ ସମାଜ ଓ ରାଜନୈତିକ ଜଗତରେ ଶୋକର ଛାୟା ଖେଳିଯାଇଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଶୋକ ପ୍ରକାଶ କରି ଏକ୍ସରେ ଲେଖିଛନ୍ତି, ରାମବିଳାସ ବେଦାନ୍ତିଙ୍କ ପରଲୋକ ଆଧ୍ୟାତ୍ମିକ ଜଗତ ଏବଂ ସନାତନ ସଂସ୍କୃତି ପାଇଁ ଅପୂରଣୀୟ କ୍ଷତି । ତାଙ୍କ ତ୍ୟାଗମୟ ଜୀବନ ସମସ୍ତଙ୍କ ପାଇଁ ପ୍ରେରଣାର ସ୍ରୋତ ହୋଇ ରହିବ । ରିବାରେ ଜନ୍ମିତ ବେଦାନ୍ତି ୧୨ ବର୍ଷ ବୟସରେ ଅଯୋଧ୍ୟା ଯାଇଥିଲେ । ସେବେଠୋରୁ ତାଙ୍କ ଜୀବନ ଅଯୋଧ୍ୟାରେ ହିଁ ବିତିଥିଲା । ସେ ଉତ୍ତରପ୍ରଦେଶର ପ୍ରତାପଗଡ଼ ଏବଂ ଜୌନପୁରର ମଛଲିଶହର ଆସନରୁ ଦୁଇ ଥର ବିଜେପି ଟିକଟରୁ ସାଂସଦ ରହିଥିଲେ ।
