ସାରା ଦେଶରେ ଗୋଟିଏ ସମୟ ଲାଗୁ କରିବା ପାଇଁ ନୂଆ ନିୟମ ପ୍ରସ୍ତୁତ ହୋଇଛି। ଭାରତରେ ଦୀର୍ଘ ଦଶନ୍ଧି ଧରି ‘ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ଟାଇମ୍’ ବା IST ବ୍ୟବହାର ହୋଇଆସୁଛି। କିନ୍ତୁ ଏବେ ନୂଆ ଲିଗାଲ୍ ମେଟ୍ରୋଲୋଜି ରୁଲ୍ସ, ୨୦୨୬ ଅନୁଯାୟୀ ଏହାକୁ ଆଇନଗତ ଭାବେ ବାଧ୍ୟତାମୂଳକ କରାଯାଇଛି।ଦେଶର ସମସ୍ତ ସରକାରୀ ବିଭାଗ, କମ୍ପାନୀ ଏବଂ ବିଭିନ୍ନ ସିଷ୍ଟମ୍କୁ ସେମାନଙ୍କ ଘଡ଼ିକୁ IST ସହିତ ମେଳ କରିବାକୁ ପଡ଼ିବ ଏବଂ ସେହି ଅନୁଯାୟୀ କାମ କରିବାକୁ ହେବ।ଡକ୍ଟର ପୁନମ ଆରୋରାଙ୍କ କହିବା ଅନୁଯାୟୀ, ନୂଆ ନିୟମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାରା ଦେଶ ପାଇଁ ଗୋଟିଏ ଅଧିକୃତ ସମୟ ନିର୍ଦ୍ଧାରଣ କରିବା। ‘ୱାନ୍ ନେସନ୍, ୱାନ୍ ଟାଇମ୍’ର ଅର୍ଥ ହେଉଛି ସାରା ଦେଶ ଗୋଟିଏ ସମୟକୁ ଆଧାର କରି କାମ କରିବ। ବର୍ତ୍ତମାନ ଅନେକ କମ୍ପାନୀ ବିଭିନ୍ନ ସ୍ଥାନରୁ ସମୟ ନେଉଛନ୍ତି। ଏହା ଏପରି ଯେମିତି ଗୋଟିଏ ଦୌଡ଼ରେ ପ୍ରତ୍ୟେକ ବ୍ୟକ୍ତି ଭିନ୍ନ ସ୍ଥାନରୁ ଦୌଡ଼ ଆରମ୍ଭ କରୁଛନ୍ତି। ଏପରି ସ୍ଥିତିରେ ସଠିକ୍ ସମୟର ମେଳ କରିବା କଷ୍ଟକର ହୋଇଥାଏ।ଆପଣଙ୍କ କମ୍ପ୍ୟୁଟରରେ ଦେଖାଯାଉଥିବା ସମୟ କୌଣସି ନା କୌଣସି ସର୍ଭରରୁ ଆସିଥାଏ। କମ୍ପ୍ୟୁଟର ସେଟିଂରେ ‘ନେଟୱର୍କ ଟାଇମ୍ ସର୍ଭର’ର ବିକଳ୍ପ ରହିଥାଏ। ସାଧାରଣତଃ ଏହା ବିଦେଶୀ ସର୍ଭର ଉପରେ ସେଟ୍ ହୋଇଥାଏ। ଅର୍ଥାତ୍ ଏହା ସିଧାସଳଖ ଭାରତୀୟ ସମୟ ଦେଉନଥାଏ। ଅନେକ ଲୋକ ସମୟ ପାଇଁ ଆମେରିକାର GPS ଉପରେ ମଧ୍ୟ ନିର୍ଭର କରନ୍ତି। ମୋବାଇଲ୍ କମ୍ପାନୀଗୁଡ଼ିକ ମଧ୍ୟ ନିଜ ସର୍ଭରରୁ ସମୟ ପ୍ରଦାନ କରନ୍ତି, ଯେଉଁଥିରେ କିଛି ସେକେଣ୍ଡ କିମ୍ବା ମିନିଟ୍ର ଅନ୍ତର ରହିପାରେ।
