ପଶ୍ଚିମବଙ୍ଗରେ ଆକ୍ରାନ୍ତ ଚିହ୍ନଟ ପରେ ଓଡ଼ିଶାକୁ ବଢିଲା ନିପା ଭୟ। ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣାରେ ଘରୋଇ ହସ୍ପିଟାଲରେ ୨ଜଣ ନର୍ସ ନିପା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । ସେମାନଙ୍କଠାରେ ରହିଥିବା ଲକ୍ଷଣ ନିପା ଭୂତାଣୁ ବୋଲି ପ୍ରାଥମିକ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ସେମାନଙ୍କ ନମୁନା ଏମ୍ସକୁ ପଠାଯାଇଛି । ସଂକ୍ରମଣ ରୋକିବାକୁ ଏକ ଜାତୀୟ ଯୁଗ୍ମ ସଂକ୍ରମଣ ରେସପନ୍ସ ଦଳ ଗଠନ ହୋଇଛି । ତେବେ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ପ୍ରତିଦିନ ଲୋକଙ୍କ ଯିବାଆସିବା ଲାଗି ରହିଥିବାରୁ ଓଡ଼ିଶା ପାଇଁ ଚିନ୍ତା ବଢ଼ାଇଛି । ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡା.ନୀଳକଣ୍ଠ ମିଶ୍ର କହିଛନ୍ତି ଯେ, ଓଡ଼ିଶାରେ ପୂର୍ବରୁ କେବେ ନିପା ଭୂତାଣୁ ଚିହ୍ନଟ ହୋଇନି। କେନ୍ଦ୍ର ସରକାର ଯଦି କୌଣସି ନିର୍ଦ୍ଦେଶାବଳୀ ଜାରି କରନ୍ତି ତାହେଲେ ରାଜ୍ୟ ସରକାର ମଧ୍ୟ ନିର୍ଦ୍ଦେଶାବଳୀ ଜାରି କରିବେ। ବର୍ତ୍ତମାନ ଏହାକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନଥିବା ସେ କହିଛନ୍ତି। କୋଭିଡ୍ ପରିସ୍ଥିତିରେ ଅନ୍ୟ ରାଜ୍ୟ ଓ ବିଦେଶରୁ ଆସିଥିବା ବ୍ୟକ୍ତିଙ୍କ ଜରିଆରେ ଯେଉଁଭଳି ସଂକ୍ରମଣ ବ୍ୟାପିଥିଲା ତାହାର ଭୟ ଏବେ ବି ମନରୁ ଯାଇନାହିଁ । ପଶୁ, ସଂକ୍ରମିତ ଖାଦ୍ୟ କିମ୍ବା ସିଧାସଳଖ ମଣିଷକୁ ନିପା ଭୂତାଣୁ ବ୍ୟାପିଥାଏ । ସଂକ୍ରମିତ ଲାଳ, ମଳ, ମୂତ୍ର ଓ ରକ୍ତ ଜରିଆରେ ଏହା ବ୍ୟାପିବାର ଆଶଙ୍କା ଅଧିକ । ଆକ୍ରାନ୍ତ ବ୍ୟକ୍ତିଙ୍କଠାରେ ଜ୍ୱର ସହ ମୁଣ୍ଡବିନ୍ଧା, ଗଳା ଦରଜ, ଡାଇରିଆ, ବାନ୍ତି, ମାଂସପେଶୀରେ ଯନ୍ତ୍ରଣା ଓ ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି ହୋଇଥାଏ । ଗୁରୁତର ଆକ୍ରାନ୍ତ ବ୍ୟକ୍ତି କୋମାକୁ ଚାଲିଯିବାର ଆଶଙ୍କା ରହିଛି । ତେଣୁ ନିୟମିତ ହାତ ଧୋଇବା ସହ ସଂକ୍ରମିତ ଘୁଷୁରି ଓ ବାଦୁଡ଼ିଙ୍କଠାରୁ ଦୂରେଇ ରହିବା ଆବଶ୍ୟକ ।
ପଶ୍ଚିମବଙ୍ଗରେ ନିପା ଆକ୍ରାନ୍ତ ଚିହ୍ନଟ ପରେ ଓଡ଼ିଶାକୁ ଭୟ
By madhulekha1 Min Read
