ପ୍ରଥମ ମିସ୍ ଇଣ୍ଡିଆ ମେହେର କାଷ୍ଟେଲିନୋଙ୍କ ବୁଧବାର ପରଲୋକ ହୋଇଯାଇଛି। ତାଙ୍କୁ ୮୧ ବର୍ଷ ହେଉଥିଲା। ୧୯୬୪ରେ ଭାରତର ପ୍ରଥମ ଫେମିନା ମିସ୍ ଇଣ୍ଡିଆ ମୁକୁଟ ହାସଲ କରିଥିବା ମେହେର ଏକାଧାରରେ ଜଣେ ସୁପରମଡେଲ, ସାମ୍ୱାଦିକା, ଲେଖିକା ଓ ମେଣ୍ଟର ଥିଲେ। ମେହେରଙ୍କ ଜନ୍ମ ମୁମ୍ୱାଇରେ ହୋଇଥିଲା। ପ୍ରଥମ ଫେମିନା ମିସ୍ ଇଣ୍ଡିଆରେ ବିଜୟୀ ହେବା ପରେ ସେ ଦେଶବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏପରି କି ସେ ବିଦେଶରେ ମଧ୍ୟ ମିସ୍ ୟୁନିଭର୍ସ ଓ ମିସ୍ ୟୁନାଇଟେଡ୍ ନେଶନ୍ସ ପ୍ରତିଯୋଗିତାରେ ଭାରତରୁ ପ୍ରତିନିଧିତ୍ୱ କରିଥିଲେ। ଏହା ପରେ ସେ ଫ୍ୟାଶନ ଜର୍ନାଲିଜମ୍ରେ ଏକ ଅସାଧାରଣ ଲିଗାସି ପ୍ରତିଷ୍ଠା କରିଥିଲେ, ଯାହାକି ତାଙ୍କୁ ଭିନ୍ନ ପରିଚୟର ଅଧିକାରିଣୀ କରିଥିଲା। ୧୯୭୩ ମସିହାରେ ସାମ୍ୱାଦିକତା କ୍ଷେତ୍ରରେ ମେହେର ନିଜ କ୍ୟାରିୟର ଆରମ୍ଭ କରିଥିଲେ। ଇଭ୍ସ ଓ୍ୱିକ୍ଲିରେ ତାଙ୍କ ପ୍ରଥମ ନିବନ୍ଧ ପ୍ରକାଶିତ ହୋଇଥିଲା।ରୂଢ଼ିବାଦୀ ଓ ରକ୍ଷଣଶୀଳ ଭାରତୀୟ ସମାଜରେ ମେହେର ମହିଳାଙ୍କ ପାଇଁ ଫ୍ୟାଶନ ତଥା ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ କ୍ୟାରିୟର ଗଢ଼ିବାରେ ନୂଆ ମାର୍ଗ ଦେଖାଇଥିଲେ। ମେହେର ଯୁବ ଡିଜାଇନର ଓ ଲେଖକମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିଲେ। ତାଙ୍କ ପରଲୋକରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି।
ପ୍ରଥମ ମିସ୍ ଇଣ୍ଡିଆ ମେହେର କାଷ୍ଟେଲିନୋଙ୍କ ପରଲୋକ
By madhulekha1 Min Read
