ପୂର୍ବ ପରି ଶାସନ ଆଇଭରି ଟାୱାରରୁ ଚାଲୁ ନାହିଁ । ସରକାର ଲୋକଙ୍କ ପାଖକୁ ଯାଉଛନ୍ତି । ଲୋକଙ୍କ କଥା ଶୁଣୁଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟ ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬ କାର୍ଯ୍ୟକ୍ରମ ଅବସରରେ ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।ଗତ ଅଢେଇ ବର୍ଷ ମଧ୍ୟରେ ଓଡିଶା ଭିଜିଲାନ୍ସ ପକ୍ଷରୁ ଜଣେ ଆଇ.ଏ.ଏସ୍, ୮ ଜଣ ମୁଖ୍ୟ ଯନ୍ତ୍ରୀ ପାହ୍ୟାର ଅଧିକାରୀ, ୨ ଜଣ ବିଭାଗୀୟ ବନ ଅଧିକାରୀ, ଅବକାରୀ ଏବଂ ଏସ୍.ଟି.ଏ ର ଯୁଗ୍ମ କମିଶନର, ୩ ଜଣ ଖଣି ଉପନିର୍ଦ୍ଦେଶକ, ୫ ଜଣ ତହସିଲର, ୪ ଜଣ ବିଡିଓ ଏବଂ ଅନେକ ସରକାରୀ ପଦାଧିକାରୀଙ୍କ ବିରୁଦ୍ଧରେ ଦୃଢ ପଦକ୍ଷେପ ଗ୍ରହଣ କରାଯାଇଛି ।ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ୪୧ ଜଣ ସରକାରୀ କର୍ମଚାରୀଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଛି । ୯୧ ଜଣ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପେନସନ ବନ୍ଦ କରାଯାଇଛି। ୨୦୨୫ରେ କନ୍ ଭିକ୍ସନ ରେଟ୍ ୫୦ ପ୍ରତିଶତ ଥିବା ବେଳେ ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ସର୍ବାଧିକ ୬୫ ପ୍ରତିଶତରେ ପହଞ୍ଚିଛି ।
ଦୁର୍ନୀତି କ୍ଷେତ୍ରରେ ଏଭଳି ଉଚ୍ଚ ଦଣ୍ଡବିଧାନ ହାର ପାଇଁ ଓଡିଶା ଭିଜିଲାନ୍ସ ରାଜ୍ୟ ଭିତରେ ଓ ବାହାରେ ପ୍ରଶଂସିତ ହେଉଛି। ଲୋକସେବା ଭବନ କନ୍ଭେନ୍ସନ ସେଣ୍ଟର ଠାରେ ଆୟୋଜିତ ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ପଦାଧିକାରୀ ଓ ଅତିଥିମାନଙ୍କୁ ଦୁର୍ନୀତି ବିରୋଧରେ ସାଧୁତାର ଶପଥ ପାଠ କରାଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, “ଭିଜିଲାନ୍ସ ବିଭାଗ ହେଉଛି ଗୁଡ୍ ଗଭର୍ଣ୍ଣାନ୍ସର ଆଖି ଓ କାନ । ଗୁଡ୍ ଗଭର୍ଣ୍ଣାନ୍ସ ମାନେ କେବଳ ନୀତି ଓ ଯୋଜନା ପ୍ରଣୟନ କରିବା ନୁହେଁ, ଏହାର ପ୍ରକୃତ ଅର୍ଥ ହେଉଛି ଦୁର୍ନୀତିକୁ ସମ୍ପୂର୍ଣ୍ଣ ଭାବେ ରୋକାଯାଇ ଉଦ୍ଦିଷ୍ଟ ଅର୍ଥ ଯେଉଁ କାରଣ ପାଇଁ ପ୍ରାବଧାନ କରାଯାଇଛି, ଯାହାଙ୍କ ପାଇଁ କରାଯାଇଛି, ତାଙ୍କ ପାଖରେ ପହଞ୍ଚିବାକୁ ଶତପ୍ରତିଶତ ସୁନିଶ୍ଚିତ କରିବା ।”
