ଜଣେ ବଞ୍ଚିଥାଉ ଥାଉ ତାର ପୁଣି କବର ।ଜଣେ ୮୦ ବର୍ଷୀୟ ବୃଦ୍ଧ । ନାଁ ତାଙ୍କର ନକ୍କା ଇନ୍ଦ୍ରେୟା । ସେ ନିଜ ସ୍ତ୍ରୀଙ୍କ କବର ପାଖରେ ହିଁ ନିଜ କବର ଖୋଳିଛନ୍ତି । ନିଜ ସଞ୍ଚିତ ଅର୍ଥକୁ ଖର୍ଚ୍ଚ କରି ସେ ଏହି କବର ତିଆରି କରିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଏହି କବର ପାଇଁ ସେ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ।କବର ପାଖରେ ଜୀବନ ଏବଂ ମୃତ୍ୟୁର ସତ୍ୟ ବିଷୟରେ ଏକ ବାର୍ତ୍ତା ସହିତ ଏକ ଫଳକ ମଧ୍ୟ ଲଗାଇଛନ୍ତି ।
ଗ୍ରାନାଇଟ୍ ରେ ତିଆରି ହୋଇଥିବା ଏହି କବର ତାମିଲନାଡୁର ରାଜମିସ୍ତ୍ରୀଙ୍କ ସହାୟତାରେ ତିଆରି ହୋଇଛି । ଏଥିରେ ପାଖାପାଖି ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । କବରଟି ୫ ଫୁଟ ଗଭୀର ଏବଂ ୬ ଫୁଟରୁ ଅଧିକ ଲମ୍ବା । ଏହା ସମ୍ପୂର୍ଣ୍ଣ ଭାବରେ ଗ୍ରାନାଇଟ୍ ରେ ନିର୍ମିତ ତେଣୁ ଏହା କ୍ଷୟ ହେବ ନାହିଁ ।ନକ୍କା ଇନ୍ଦ୍ରେୟା କହିଛନ୍ତି, ‘‘ମୁଁ ୪ରୁ ୫ଟି ଘର, ଏକ ସ୍କୁଲ, ଏକ ଚର୍ଚ୍ଚ ତିଆରି କରିବା ସହ ଏବେ ନିଜ ପାଇଁ ଏକ କବର ତିଆରି କରିଛି । ଏଥିପାଇଁ ମୁଁ ବହୁତ ଖୁସି । ଅନେକ ଲୋକ ମୃତ୍ୟୁ ଖବର ଶୁଣିଲେ ଦୁଃଖ ଅନୁଭବ କରନ୍ତି କିନ୍ତୁ ମୁଁ ଖୁସି।”
ନକ୍କା କହିଥିଲେ ଯେ କବର ସ୍ଥାନକୁ ଯିବା ତାଙ୍କର ଦୈନନ୍ଦିନ ଅଭ୍ୟାସ । ଏହି ସମୟ ମଧ୍ୟରେ, ସେ କବର ଆଖପାଖ ଅଞ୍ଚଳକୁ ସଫା କରନ୍ତି । କବର ପାଖରେ ଲଗାଇଥିବା ଗଛଗୁଡ଼ିକୁ ପାଣି ଦିଅନ୍ତି ଏବଂ କିଛି ସମୟ ସେଠାରେ ବସିଥାନ୍ତି । ଚାରି ସନ୍ତାନଙ୍କ ବାପା ହେଉଛନ୍ତି ନକ୍କା । ସେ ପରିବାରରେ ନଅ ଜଣଙ୍କ ବିବାହ ସମ୍ପାଦନ କରିଛନ୍ତି । ସେ ନିଜେ ଏହି କବର ତିଆରି କରିବାର ମୁଖ୍ୟ କାରଣ ହେଉଛି ମୃତ୍ୟୁ ପରେ ତାଙ୍କ ପିଲାମାନଙ୍କୁ ହଇରାଣ ନକରିବା ।କବର ବିଷୟରେ ପଚାରିବାରୁ ସେ କହିଛନ୍ତି “ମୁଁ କାହା ଉପରେ ବୋଝ ହେବାକୁ ଚାହୁଁ ନଥିଲି,” । “ମୃତ୍ୟୁକୁ ଭୟ କରିବାର କୌଣସି ଆବଶ୍ୟକତା ନାହିଁ । ସମସ୍ତେ ମରିଯିବେ, ମୁଁ ମଧ୍ୟ ମରିବି । ତେଣୁ ମୁଁ ନିଜ ପାଇଁ କବର ତିଆରି କରିଛି ।’’
