ମକର ସଂକ୍ରାନ୍ତି ଆସିଲେ ମନରେ ଯେତିକି ଉତ୍ସାହ ଆସେ, ସେତିକି ଡ଼ର ବି ଲାଗେ । ମକରରେ ଗୁଡ଼ି ଉଡ଼ାଇବାର ପରମ୍ପରା ରହିଆସିଛି । ଲୋକମାନେ ଗୁଡ଼ି ଉଡାଇ ମଜ୍ଜା ନେଇଥାଆନ୍ତି । ହେଲେ ଏହି ମଜ୍ଜା କିଛି ଲୋକଙ୍କ ପାଇଁ ସଜ୍ଜାରେ ପରିଣତ ହୋଇଯାଏ । ଆଉ ଏହି ସଜ୍ଜା ଦେଇଥାଏ, ଗୁଡ଼ିରେ ଲାଗିଥିବା ମାଞ୍ଜା ସୂତା । ଏହି ସୂତା ଲାଗି ଅନେକ ଦୁର୍ଘଟଣା ଘଟିବା ସହ ଅନେକଙ୍କ ଜୀବନ ଯାଇଥିବା ବିଗତବର୍ଷମାନଙ୍କରେ ନଜିର ରହିଛି । ଫଳରେ ମକରରେ ଗୁଡ଼ି ଉଡାଇବା ଠାରୁ ଅଧିକ ଭୟଭୀତ କରୁଛି ଚାଇନିଜ୍ ପ୍ଲାଷ୍ଟିକ ମାଞ୍ଜା ସୂତା ।ଚାଇନିଜ ଲାଇଲନ ଓ ବିଦେଶରୁ ଆସୁଥିବା ମାଞ୍ଜା ସୂତା ବିପଦ ସାଜିଛି । ରାସ୍ତାରେ ଗଲା ବେଳେ ଅନେକ ସମୟରେ ବାଇକ ଆରୋହୀ ଓ ଯାତ୍ରୀ ଆହତ ହେଉଛନ୍ତି । ତେଣୁ ଏଭଳି ବିପଦଜନକ ସୂତା ବ୍ୟବହାର ନ କରିବାକୁ ସହରରେ ସଚେତନତା ସୃଷ୍ଟି କରୁଛି ସ୍ବେଛାସେବୀ ସଂଗଠନ । ୫ ଦିନ ସହରରେ ସଚେତନତା ଗାଡ଼ି ବୁଲି ଲୋକଙ୍କୁ ସଚେତନ କରିବ ।ତେବେ ସିଲଭର ସିଟି କଟକରେ ମକରରେ ଗୁଡ଼ି ଉଡ଼ାଇବାର ପରମ୍ପରା ରହିଛି । ବିଶେଷକରି ଚୌଧୁରୀ ବଜାର, ଝୋଲା ସାହି, ନଦୀ ସାହି, ପିଠାପୁର ଅଞ୍ଚଳରେ ଗୁଡ଼ି ବ୍ୟବସାୟ ବେଶ ଜମିଥାଏ । ମକରର ବହୁ ପୂର୍ବରୁ ଅନେକ ଲୋକ ଗୁଡ଼ି କିଣି ଉଡାଇଥାନ୍ତି । ରାସ୍ତା ଘାଟ ସବୁଠି ଗୁଡ଼ି ଉଡ଼ିଥାଏ । ମାତ୍ର ଏହି ପରମ୍ପରା ଧିରେ ଧିରେ କମି ବାକୁ ଲାଗିଲାଣି । ପୋଲିସ ପକ୍ଷରୁ ନନ୍ଦି ସାହି, ଚୌଧୁରୀବଜାର ଓ ଝୋଲାସାହିରେ ଚଢ଼ାଉ କରାଯାଇଥିଲା । କିଛି ବିପଦଜନକ ସୂତା ଝୋଲାସାହିରୁ ଜବତ କରିବା ସହିତ ସଂପୃକ୍ତ ବ୍ୟବସାୟୀଙ୍କୁ ଅର୍ଥଦଣ୍ଡ ଦେଇ ତାଗିଦ କରି ଛାଡି ଦେଇଥିଲା ପୋଲିସ ।
ମକରରେ ଗୁଡ଼ି ଉଡିବା ପରମ୍ପରା; ବାଧକ ସାଜିଛି ମାଞ୍ଜା ସୂତା
By madhulekha1 Min Read
