ବହିଷ୍କୃତ ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କ ଘରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ପୁନେରେ ତାଙ୍କ ଘରେ ଡକାୟତି ହୋଇଛି ।ଘଟଣାଟି ରବିବାର ଅର୍ଥାତ୍ ଗତକାଲି ବିଳମ୍ବିତ ରାତିରେ ଘଟିଥିବା ଜଣାପଡ଼ିଛି । ପୁନେ ପୋଲିସକୁ ଘଟଣା ବିଷୟରେ ସୂଚନା ଦିଆଯାଇଛି । ହେଲେ, ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଏଫଆଇଆର ରୁଜୁ ହୋଇନାହିଁ ।
ଏକ ରିପୋର୍ଟ ଅନୁଜାୟୀ, ଏହି ଘଟଣା ପୁନେର ବାନେର ରୋଡରେ ଥିବା ଖେଡକର ପରିବାରର ବଙ୍ଗଳାରେ ଘଟିଛି । ଏହି ପରିବାରରେ ଅନେକ ଚାକର ରୁହନ୍ତି । ଏହି ଚାକରମାନଙ୍କ ମଧ୍ୟରୁ ଜଣେ ଅପରାଧ ଘଟାଇଥିବା ଅଭିଯୋଗ ହେଉଛି । ଏହି ଚାକର ଆଠ ଦିନ ପୂର୍ବରୁ ନେପାଳରୁ ଆସିଥିବା ଜଣାପଡ଼ିଛି ।ପୂଜା ଖେଡକରଙ୍କ ଅନୁଯାୟୀ, ଅଭିଯୁକ୍ତ ଚାକର ତାଙ୍କ ବାପା ଦିଲୀପ ଖେଡକର ଏବଂ ମାଆ ମନୋରମା ଖେଡକରଙ୍କୁ ନିଶା ଔଷଧ ଖୁଆଇ ଦେଇଥିଲେ, ଯାହା ଫଳରେ ସେମାନେ ଚେତାଶୂନ୍ୟ ହୋଇଯାଇଥିଲେ । ତା’ପରେ ସେ ପୂଜା ଖେଡକରଙ୍କୁ ଏକ ରଶିରେ ବାନ୍ଧି ସମସ୍ତଙ୍କ ମୋବାଇଲ୍ ଫୋନ୍ ନେଇ ଘରୁ ପଳାଇ ଯାଇଥିଲେ ।ସୂଚନା ପାଇ ଚତୁଷ୍ରୁଙ୍ଗୀ ପୋଲିସ ଷ୍ଟେସନର ଏକ ଦଳ ଘଟଣାସ୍ଥଳରେ ପହଞ୍ଚି ଦିଲୀପ ଏବଂ ମନୋରମା ଖେଡକରଙ୍କୁ ଚେତାଶୂନ୍ୟ ଅବସ୍ଥାରେ ପାଇଥିଲେ । ପୋଲିସ ତୁରନ୍ତ ସେମାନଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲା । ପୋଲିସ ଅନୁଯାୟୀ, ଉଭୟ ବର୍ତ୍ତମାନ ସ୍ଥିର ଅବସ୍ଥାରେ ଏବଂ ସୁରକ୍ଷିତ ଅଛନ୍ତି ।
